ପ୍ୟୋଙ୍ଗୟାଙ୍ଗ,୧୪।୩ : ମଙ୍ଗଳବାର ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସିଓଲ ଏକ ବିବୃତ୍ତିରେ କହିଛି ଯେ ଆଜି ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ଉତ୍ତର କୋରିଆ ଦୁଇଟି କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହା ତିନି ଦିନ ମଧ୍ୟରେ ପ୍ୟୋଙ୍ଗୟାଙ୍ଗର ଦ୍ୱିତୀୟ କ୍ଷେପଣାସ୍ତ୍ର ପରୀକ୍ଷା।
ଜଏଣ୍ଟ ଚିଫ୍ ଅଫ ଷ୍ଟାଫ ଏକ ବିବୃତ୍ତିରେ କହିଛନ୍ତି ଯେ ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ଏକ ଅଜ୍ଞାତ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ ଷ୍ଟାଫ କ୍ରୁଜ କ୍ଷେପଣାସ୍ତ୍ରର ପରୀକ୍ଷାକୁ ନିଶ୍ଚିତ କରିିଛନ୍ତି। ଜେସିଏସ ବିବୃତ୍ତିରେ କହିଛନ୍ତି ଯେ କ୍ଷେପଣାସ୍ତ୍ର ସହ ଜଡିତ ତଥ୍ୟ ସଂଗ୍ରହ ପାଇଁ ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁପ୍ତଚର ଅଧିକାରୀଙ୍କ ଦ୍ୱାରା ସଠିକ ବିଶ୍ଳେଷଣ କରାଯାଉଛି।
ଉତ୍ତର କୋରିଆ ଏହି ସାମରିକ ଅଭ୍ୟାସକୁ ଆକ୍ରମଣର ଏକ ରିହର୍ସାଲ ବୋଲି ବର୍ଣ୍ଣନା କରିଛି। ଏହା ସହିତ ଏହା ଯୁକ୍ତି କରିଛି ଯେ ଆତ୍ମରକ୍ଷା ପାଇଁ ଆଣବିକ ଅସ୍ତ୍ର ଆବଶ୍ୟକ। ଆମେରିକା ଏବଂ ଦକ୍ଷିଣ କୋରିଆର ସୈନ୍ୟମାନେ ସୋମବାର ସକାଳେ ସେମାନଙ୍କର ଫ୍ରିଡମ ସିଲ୍ଡ ସମରାଭ୍ୟାସ ଆରମ୍ଭ କରିଥିଲେ। ୨୦୧୮ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ଏଭଳି ଏକ ବଡ଼ ଧରଣର ସମରାଭ୍ୟାସ କରୁଛନ୍ତି ।