ବିପଦସଙ୍କୁଳ ଅବସ୍ଥାରେ ଶିଶୁ ଉଦ୍ୟାନ

ସାଲେପୁର,୧୭।୫(ଅରବିନ୍ଦ ଭୂୟାଁ): ସାଲେପୁରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ବିପଦସଙ୍କୁଳ ହୋଇପଡ଼ିବା ସହ ଜରାଜୀର୍ଣ୍ଣ ହୋଇଯାଇଛି। ଏହି ଉଦ୍ୟାନ ଭିତରେ ନିୟମିତ ଛୋଟ ପିଲାମାନେ ଖେଳକୁଦ କରିବା ସହ ବ୍ୟାୟାମ କରିଥାନ୍ତି। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ଏକମାତ୍ର ଶିଶୁ ଉଦ୍ୟାନ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏଠାରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ଉପୁଡି ଏକ ଫଳକ ଉପରେ ଲଦି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପିଲାମାନେ ଖେଳୁଥିବାବେଳେ କୌଣସି କାରଣରୁ ଏହା ଖସି ପଡ଼ିଲେ କିମ୍ବା ବିଦ୍ୟୁତ୍‌ ତାର ସଂର୍ଶରେ ଆସିଲେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାଛଡ଼ା ଶିଶୁ ଉଦ୍ୟାନଟିର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଘାସ ଉଠି ଜଙ୍ଗଲ ସଦୃଶ ପ୍ରତିୟମାନ ହେଉଛି। ଏଠାରେ ବହୁ ବିଷଧର ସରୀସୃପ ବସବାସ କରୁଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି। ସାଲେପୁର ଅଞ୍ଚଳର ଏହା ଏକମାତ୍ର ଶିଶୁ ଉଦ୍ୟାନ ହୋଇଥିବାରୁ ଚନ୍ଦ୍ରାଦେଇପୁର, ଲୁଣାହାର, ମାଛୁଆତି, ରୋଧପୁର, ବଟେଶ୍ୱର, କୋଲଣପୁର ସମେତ ଆଖପାଖ ଅଞ୍ଚଳର ବହୁ ଛୋଟପିଲାମାନେ ଅଭିଭାବକଙ୍କ ସହ ଏଠାକୁ ଖେଳକୁଦ କରିବାକୁ ଆସିଥାନ୍ତି। ନିୟମିତ ଏହି ଶିଶୁ ଉଦ୍ୟାନକୁ ଆଖପାଖ ଅଞ୍ଚଳ ଦେଇ ବହୁ ପିଲା ମଧ୍ୟ ଯାତାୟାତ କରିଥାନ୍ତି। ଏହାସତ୍ତ୍ୱେ ଏହାର ପୁନରୁଦ୍ଧାର ଲାଗି କେଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ,ଏହି ଉଦ୍ୟାନକୁ ତତ୍କାଳୀନ ବିଧାୟକ ପ୍ରକାଶ ବେହେରା ବିଧାୟକ ହାତପାଣ୍ଠିରୁ ନିର୍ମାଣ କରିଥିଲେ। ମାତ୍ର ରକ୍ଷାଣାବେକ୍ଷଣ ଅଭାବରୁ ଏହି ଉଦ୍ୟାନଟି ଅବସ୍ଥା ଏବେ ଶୋଚନୀୟ ହୋଇଯାଇଛି। ଅପରପକ୍ଷେ ଏଠାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଷ୍ଟିଟଲାଇଣ୍ଟ ଖୁଣ୍ଟକୁ ସଳଖ କରା ନ ଗଲେ ସାମନ୍ୟ ବର୍ଷାରେ ଏହା ତଳେ ପଡ଼ି କ୍ଷତି ଘଟିବାର ଆଶଙ୍କା ରହିଛି। ଏନେଇ ତୁରନ୍ତ ଖୁଣ୍ଟ ମରାମତି ସହ ଉଦ୍ୟାନକୁ ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଏସମ୍ପର୍କରେ ସାଲେପୁର ବିଡିଓଙ୍କୁ ପଚାରିବାରେ ଷ୍ଟିଟ ଲାଇଟ୍‌ ଖୁଣ୍ଟକୁ ମରାମତି କରିବା ପାଇଁ ବ୍ୟବସ୍ଥା କରାଯିବା ସହ ଶିଶୁଉଦ୍ୟାନକୁ ସରସସୁନ୍ଦର କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।