ନୂଆଦିଲ୍ଲୀ,୨।୨: ଭାରତ ଏବେ ଦୁଇ ଭାଗରେ ବାଣ୍ଟି ହୋଇଛି। ଗୋଟିଏ ଭାରତରେ କେବଳ ଅତ୍ୟଧିକ ଧନୀଙ୍କ ପାଇଁ। ଏହି ଦେଶରେ ସେମାନେ ରହୁଛନ୍ତି, ଯେଉଁମାନଙ୍କ ପାଖରେ ପ୍ରବଳ ଟଙ୍କା ସହ ଅପାର ଶକ୍ତି ଅଛି। ଏମାନଙ୍କୁ ଚାକିରି କିମ୍ବା ଜଳ କିମ୍ବା ବିଦ୍ୟୁତ୍ ଯୋଗାଣର ଆବଶ୍ୟକତା ନାହିଁ। କିନ୍ତୁ ଏମାନେ ଦେଶର ହାର୍ଟବିଟ୍ (ହୃଦସ୍ପନ୍ଦନ)କୁ ନିୟନ୍ତ୍ରଣ କରୁଛନ୍ତି। ଅନ୍ୟ ଭାରତଟି ହେଉଛି ଗରୀବଙ୍କ ପାଇଁ। ଏମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ଏବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଶବ୍ଦରେ ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ଗରିବ ଲୋକେ ଦେଖିପାରୁଛନ୍ତି, ଦେଶର ୧୦୦ ଧନୀଙ୍କ ପାଖରେ ୫୫ କୋଟି ନାଗରିକଙ୍କଠାରୁ ଅଧିକ ଧନ ରହିଛି। ପ୍ରଧାନମନ୍ତ୍ରୀ ଯଥାଶୀଘ୍ର ଦୁଇ ଭାରତକୁ ଏକତ୍ରିତ କରିବା ଉଚିତ। ତୁମେ କିଛି ଲୋକଙ୍କୁ ସବୁକିଛି ଦେଉଛ, ଯେଉଁମାନେ ତୁମକୁ ଟିଭି ଏବଂ ହ୍ବଟ୍ସଆପ୍ରେ ରଖିବେ। ମୋ ଦେଶ ଏବେ ଯେଉଁଠାରେ ଛିଡ଼ା ହୋଇଛି, ତାହା ମୋତେ ଚିନ୍ତିତ କରୁଛି। ତୁମେ ଏହି ଦେଶ ଓ ଏହାର ନାଗରିକଙ୍କୁ ବଡ଼ ବିପଦରେ ପକାଉଛ। ସରକାର ଚାଇନା ଓ ପାକିସ୍ତାନକୁ ଏକାଠି ଆଣିଛନ୍ତି। ଆମେ ଜମ୍ମୁ-କଶ୍ମୀରରେ ବଡ଼ ଷ୍ଟ୍ରାଟେଜିକ୍ ଭୁଲ କରିଛୁ ବୋଲି ରାହୁଲ କହିଛନ୍ତି।