ଡିଡିଏଲ୍‌ଜେ ଗୀତ ଗାଇ ମନ ଜିଣିଲେ କିଙ୍ଗ୍‌ଖାନ୍‌

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି। ‘ପଠାନ’ ସହ କିଙ୍ଗ୍‌ଖାନ୍‌ ସିଲ୍‌ଭର ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗୋଟିଏ ପଟେ ତାଙ୍କ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ‘ପଠାନ’କୁ ନେଇ ଅନେକ ବିବାଦ ବି ଲାଗି ରହିଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହା ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା। ‘ପଠାନ’କୁ ନେଇ ଚର୍ଚ୍ଚା ମଧ୍ୟରେ ଶାହାରୁଖଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

ନିକଟରେ ଶାହାରୁଖ ଏକ କାର୍‌ ଇଭେଣ୍ଟରେ ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କର ସୁପରହିଟ୍‌ ଫିଲ୍ମ ‘ଦିଲଓ୍ବାଲେ ଦୁଲ୍‌ହାନିଆ ଲେ ଯାୟେଙ୍ଗେ’ର ଗୀତ ଗାଇଥିଲେ। ଏହା ମଧ୍ୟ ସିଗ୍ନେଚର ପୋଜ୍‌ ସହିତ ଗାଇଥିଲେ। ଏହି ଗୀତ ଗାଇବା ପରେ ଶାହାରୁଖ ହସି ହସି କହିଥିଲେ, ‘ମୁଁ ଭାବୁଛି ଏହା ବହୁତ ରୋମାଣ୍ଟିକ।’ ତାଙ୍କ ଷ୍ଟାଇଲ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

ଇଭେଣ୍ଟରେ ତାଙ୍କ ଲୁକ୍‌ ବି ଚର୍ଚ୍ଚାରେ ଥିଲା। ସେ ଏକ ଧଳା ଶର୍ଟ ଏବଂ କଳା ସୁଟ୍‌ ପିନ୍ଧିଥିଲେ। ଏହା ସହିତ ସେ କଳା ଚଷମା ପିନ୍ଧିଥିଲେ। ପ୍ରଶଂସକମାନେ ମନ୍ତବ୍ୟ ଏବଂ ପ୍ରତିକ୍ରିୟା ଦେଇ ଏହି ଭିଡିଓରେ କ୍ରମାଗତ ଭାବରେ ଭଲ ପାଇବାର ବର୍ଷା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଅନେକ ଥର ଦେଖାସରିଲାଣି।

ଶାହାରୁଖଙ୍କ ଫିଲ୍ମ ‘ପଠାନ’ ଚଳିତ ମାସ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ୍‌ ଆବ୍ରାହମ୍‌  ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଶାହାରୁଖ ରାଜକୁମାର ହିରାନୀଙ୍କ ସହ ଫିଲ୍ମ ‘ଡଙ୍କି’ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଶାହାରୁଖଙ୍କ ସହ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ୨୨ ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି।

Share