Categories: ଜାତୀୟ

ଚତୁର୍ଥ ପାସ କରିଥିବା ରାଜାଙ୍କୁ ଜଣାନାହିଁ ରାଜ୍ୟ ଶାସନ: ମୋଦିଙ୍କୁ କେଜରିଓ୍ବାଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୬ : ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନରେ ଆମ ଆଦମୀ ପାର୍ଟି (ଏଏପି) ରବିବାର ଏକ ରାଲି କରିଛି। ଏହି ରାଲିରେ ଦିଲ୍ଲୀ ମୁଖମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ କହିଛନ୍ତି କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନିୟମ ବିରୁଦ୍ଧରେ ଦିଲ୍ଲୀର ଲୋକମାନେ ରାମଲୀଳା ମଇଦାନରେ ଏକଜୁଟ ହୋଇଛନ୍ତି। ଏହା ସହିତ କେଜରିୱାଲ ଅନୁରୋଧ କରିଛନ୍ତି ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସମସ୍ତେ ଏହି ମେଗା ରାଲିରେ ଅଂଶଗ୍ରହଣ କରନ୍ତୁ ।

ଲୋକଙ୍କୁ ସମ୍ବୋଧିତ କରି କେଜରିୱାଲ କହିଛନ୍ତି ଚତୁର୍ଥ ପାସ ରାଜା (ପିଏମ ମୋଦି) ଦେଶ କିପରି ଚାଲିଛି ତାହା ବୁଝିପାରୁ ନାହାନ୍ତି। ବେରୋଜଗାରୀ ଚାରିଆଡେ ବ୍ୟାପିଛି । ସେମାନଙ୍କୁ କିପରି ଅପସାରଣ କରାଯିବ ତାହା ସେ ବୁଝନ୍ତି ନାହିଁ। ଦୁର୍ନୀତି କିପରି ଦୂର ହେବ। ଜିଏସ୍ଟି ଯୋଗୁଁ ବ୍ୟବସାୟୀମାନେ ଚିନ୍ତିତ ଅଛନ୍ତି। ରେଳବାଇରେ କଣ ହୋଇଛି । ଦେଶ ନଷ୍ଟ ହେବାରେ ଲାଗିଛି। ୨୦୦୨ ରେ ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୨ ବର୍ଷ ପାଇଁ ଗୁଜରାଟର ସିଏମ ଥିଲେ। ସେ ଗତ ୯ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଅଛନ୍ତି। ଶାସନରେ ତାଙ୍କର ୨୧ ବର୍ଷ ହୋଇଗଲାଣି । ମୁଁ ୨୦୧୫ ରେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଏହା ୮ ବର୍ଷ ହୋଇଗଲାଣି। ମୁଁ ଆଜି ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି । ୨୧ ବର୍ଷ ଏବଂ ୮ବର୍ଷରେ କିଏ ଅଧିକ କାମ କଲା?

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ୨୦୧୪ ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀ ମୋଦିଙ୍କୁ ସମସ୍ତ ୭ ଟି ସିଟ ଦେଇଛନ୍ତି। କିନ୍ତୁ ୭୦ ଟି ସିଟ ମଧ୍ୟରୁ ୩ ଟି ଭାଜପାକୁ ମିଳିଛି। ୬୭ଟି ସିଟ ଏଏପି ପାଇଛି। ଏହା ପରେ ୨୦୧୯ ରେ ୭୦ରୁ ଏଏପି ୬୨ଟି ସିଟ ପାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏବେ ମଧ୍ୟ ଦିଲ୍ଲୀର ଲୋକଙ୍କ ପଛରେ ପଡିଛନ୍ତି। ମୋଦି ଦେଶକୁ ସମ୍ଭାଳିବାକୁ ସକ୍ଷମ ନୁହନ୍ତି। ସେ ଦେଶକୁ ନଷ୍ଟ କରି ଦେଇଛନ୍ତି। କ୍ଷୀର, ପନିପରିବା, ଏଲପିଜି ଏସବୁ ଆଉ କେତେ ମହଙ୍ଗା ହେବ ? ଏହାର ଜବାବ ମୋଦି ସରକାର ଦିଅନ୍ତୁ ବୋଲି କେଜରିଓ୍ବାଲ କହିଛନ୍ତି।

Share