ସରୁନି ଭିଜିଲାନ୍ସ ଖୋଳତାଡ଼: ଯନ୍ତ୍ରୀ-ଠିକାଦାର କିଙ୍ଗ୍‌ପିନ୍‌

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଯେତେ ଖୋଳିଲେ ସେତେ ବାହାରୁଛି ମାଲକାନଗିରି ଜିଲା ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତି। ଦୁଇ ଦିନ ହେଲାଣି ଭିଜିଲାନ୍ସର ଖୋଳତାଡ଼ ସରୁନାହିଁ। ଜିଲା ଚିକିତ୍ସାଳୟ ନିକଟରେ ଥିବା ଜଣେ ବଙ୍ଗାଳି ଠିକାଦାର ଏବଂ ମାଥିଲି, ଖଇରପୁଟ ବ୍ଲକ ଦାୟିତ୍ୱରେ ଥିବା ଜଣେ ଯନ୍ତ୍ରୀଙ୍କଠାରୁ କୋଟି କୋଟି ଟଙ୍କାର ସୁନା ଗହଣା ଜବତ ହୋଇଛି। ରବିବାର ମଧ୍ୟ ବିଭିନ୍ନ ସ୍ଥାନରେ ଅଧୀକ୍ଷଣ ଯନ୍ତ୍ରୀ ଦାସଙ୍କ ଥିବା ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ।
ଭିଜିଲାନ୍ସ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ରବିବାର ଅଧୀକ୍ଷଣ ଯନ୍ତ୍ରୀ ଦାସଙ୍କ ପୁଣି ୧ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏଯାବତ୍‌ ତାଙ୍କଠାରୁ ମୋଟ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଗଲାଣି ବୋଲି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି। ବିଭିନ୍ନ ବୀମା କମ୍ପାନୀରେ ତାଙ୍କର ୧ କୋଟି ୭୭ ଲକ୍ଷ ଟଙ୍କା ଗତ ବର୍ଷକ ମଧ୍ୟରେ ଜମା ହୋଇଛି। ଆକ୍ସିସ ବ୍ୟାଙ୍କରେ ୭୮ ଲକ୍ଷ ଟଙ୍କା ୧୮ ଜଣଙ୍କ ନାମରେ ଜମା ରହିଥିଲା। ସେହିପରି ଏଲ୍‌ଆଇସି, ମାକ୍ସ ଜୀବନ ବୀମାରେ ୧୪ ଲକ୍ଷ, ୟୁଟିଆଇରେ ୨୫ ଲକ୍ଷ, କେନ୍ଦୁଝର ଷ୍ଟେଟବ୍ୟାଙ୍କ ଶାଖାରେ ୧୬ ଲକ୍ଷ, କିଶାନ ବିକାଶ ପତ୍ରରେ ୧୪ ଲକ୍ଷ, ଏଚଡିଏଫ୍‌ସି, ବିସିଡି, ବିଜୟା ଆଦି ବ୍ୟାଙ୍କରେ ମଧ୍ୟ ଲକ୍ଷାଧିକ ଟଙ୍କାର ଡିପୋଜିଟ୍‌ ଥିବା ଭିଜିଲାନ୍ସ ଡିଏସ୍‌ପି ବିଶ୍ୱାଳ ସୂଚନା ଦେଇଛନ୍ତି। ଶନିବାର ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୨.୫ କୋଟି, ଅଧୀକ୍ଷଣ ଯନ୍ତ୍ରୀ ଦାସ ଏବଂ ଠିକାଦାରମାନଙ୍କ ନିକଟରୁ ୨୧ ଲକ୍ଷ ୭୫ ହଜାର, ଜଣେ ଠିକାଦାରଙ୍କ ଘରୁ ୬୦୦ ଗ୍ରାମ ସୁନା, ୫୦ ଲକ୍ଷ ଟଙ୍କାର ବୀମା, ୪୦ ଲକ୍ଷ ଟଙ୍କାର ୟୁଟିଆଇ ବଣ୍ଡ୍‌, ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର ସହ ଏନ୍‌ଟିସି ଓ ପୋଷ୍ଟାଲ ଡିପୋଜିଟ ମଧ୍ୟ ମିଳିଛି। ମାଲକାନଗିରି ଓ କେନ୍ଦୁଝରରେ ବ୍ୟାଙ୍କ ଲକର, କଟକରେ ଗୋଟିଏ ଫ୍ଲାଟ୍‌ ମଧ୍ୟ ଠାବ କରାଯାଇଛି। ଭିଜିଲାନ୍ସ ଯେତେ ଖୋଳତାଡ କରୁଛି ଯନ୍ତ୍ରୀଙ୍କ ସେତେ ସମ୍ପତ୍ତି ମିଳିବାରେ ଲାଗିଛି। ତେବେ ଏହି କୋଟି କୋଟି ଟଙ୍କାର ଦୁର୍ନୀତି ପଛରେ ସ୍ଥାନୀୟ ଅଞ୍ଚଳର ଜଣେ ବଙ୍ଗାଳି ଠିକାଦାରଙ୍କ ପ୍ରଚ୍ଛନ୍ନ ଭୂମିକା ଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଛି। ତେବେ ଆଗାମୀ ଦିନରେ ଏହି ଦୁଇଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Share