ରାଷ୍ଟ୍ରପତି ପୁରସ୍କାର ପାଇବେ କିନ୍ନର ଦୀପା

କଟକ,୨୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ରାଷ୍ଟ୍ରପତି ପୁରସ୍କାର ପାଇବେ କଟକରେ ରହୁଥିବା କିନ୍ନର ଦୀପା ସାହୁ। ଆସନ୍ତା ୩୦ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୀପା ପୁରସ୍କୃତ ହେବେ ବୋଲି କିଛିଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଚିଠି ଆସିଛି। ଭାରତର ପ୍ରଥମ କିନ୍ନର ଭାବେ ଦୀପା ପିଏଚ୍‌.ଡିରେ ଅଧ୍ୟୟନ କରୁଛନ୍ତି। ଜଗତ୍‌ସିଂହପୁରର ମୂଳବାସିନ୍ଦା ଦୀପା ୧୨ ବର୍ଷ ବୟସରୁ ଘର ଛାଡ଼ି କଟକ ଶଙ୍କରପୁରର ମିଠି ମା’ଙ୍କ ପାଖରେ ରହୁଛନ୍ତି। ରାଣୀହାଟ ହାଇସ୍କୁଲରେ ସେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ପରେ ରେଭେନ୍‌ଶା ଜୁନିୟର କଲେଜରେ ଯୁକ୍ତ୨, ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଓ ଉଦ୍ଭିଦ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌.ଡି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ପାଠପଢ଼ା ସହ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ୱେଲ୍‌ଫେୟାର, କିନ୍ନର ଏସ୍‌ଏଚ୍‌ଜି ଓ ବିଭିନ୍ନ ସଙ୍ଗଠନରେ ଜଡ଼ିତ ରହି ସାମାଜିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
ଦୀପା ଓଡ଼ିଶା ତଥା ଭାରତର କିନ୍ନର ସମାଜ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ବର୍ତ୍ତମାନ ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବାବେଳେ ଦୀପା ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ହକ୍‌ଦାର ହୋଇଛନ୍ତି। ପରିବାରରେ ଦୀପା ଜନ୍ମ ହେବା ପରେ ସଦସ୍ୟମାନେ ବେଶ୍‌ ଖୁସି ଥିଲେ। କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା ଥିଲା। ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କ ପୋଷାକ ଭଲ ଲାଗୁ ନ ଥିଲା। ବିଡ଼ମ୍ବନାର ବିଷୟ ୮ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର କହିବା ଶକ୍ତି ହରାଇ ବସିଛନ୍ତି। ସେବେଠୁ ସେ କଥା କହିପାରନ୍ତିନାହିଁ। ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି। ତେବେ ଏହି ଜୀବନ ଯାତ୍ରା ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ଦୀପାଙ୍କ ମନୋବଳକୁ ଆହୁରି ମଜଭୁତ କରିବା ସହ ଆଗାମୀ ଦିନରେ ଥିବା ଲକ୍ଷ୍ୟକୁ ପୂର୍ଣ୍ଣ କରିବାରେ ହେବ ସହାୟକ। ଏ ସମ୍ପର୍କରେ ଦୀପା କହନ୍ତି, ଲୋକମାନେ କିନ୍ନର ସମାଜକୁ ଭଲ ପାଇବା ପାଇଁ ଚେଷ୍ଟା ଜାରି ରଖିଛି। ପାଠପଢ଼ା ପ୍ରତି ପ୍ରାଧାନ୍ୟ ଦେଉଛି। ସମାଜସେବା କରିବାକୁ ଭଲ ଲାଗେ। ମୋର ସମସ୍ତ ଶ୍ରେୟ ଆମ ଗ୍ରୁପର ମୁଖ୍ୟ ମିଠି ମା’ଙ୍କୁ ଦେବି।