ଜିଲାପାଳଙ୍କୁ ସୁରକ୍ଷା ମାଗିଲେ କିନ୍ନର

କେନ୍ଦୁଝର,୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବନାଯୋଡି ଟୋଲପ୍ଲାଜାରେ ରହୁଥିବା କିନ୍ନରମାନେ ସୋମବାର ସୁରକ୍ଷା ଯୋଗାଇ ଦେବାନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ କେତେକ ଲୋକ ତାଙ୍କୁ ଧମକ ଚମକ ଦେଉଥିବା ବେଳେ ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ କିନ୍ନରମାନଙ୍କୁ ତୁରନ୍ତ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାନେଇ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

ଏନେଇ କିିନ୍ନରମାନେ ଜିଲାପାଳଙ୍କୁ ଭେଟିବାକୁ ଆସିଥିଲେ। ହେଲେ ଜିଲାପାଳଙ୍କୁ ନ ଭେଟି ଅଭିଯୋଗ ପ୍ରକୋଷ୍ଠରେ ଥିବା ଡିଏଫ୍‌ଓଙ୍କୁ ଭେଟିଥିଲେ। ପରେ ସେମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତର ସମାଧାନ କରିବାକୁ ନିବେଦନ କରିଥିଲେ। ଘଟଣାର ତଦନ୍ତ କରି କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ସେ କହିଥିଲେ। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଅଲ୍‌ ଓଡ଼ିଶା କିନ୍ନର ସମାଜଙ୍କୁ ମଧ୍ୟ ସମସ୍ୟା ସଂକ୍ରାନ୍ତରେ ଅବଗତ କରିଥିବା ସେମାନେ କହିଛନ୍ତି ।