କିନ୍ନରଙ୍କ ଗଳା କାଟିଦେଲେ

ସମ୍ବଲପୁର,୧୭ା୨(ବ୍ୟୁରୋ): ସମ୍ବଲପୁର ଜିଲାର ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସେ ହେଲେ ଫିରୋଜ ଛତ୍ରିଆ(୨୧)। ବୁର୍ଲା ଥାନା ଗୋଡଭଗା କଲେଜ ଛକ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଗୁରୁବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଫିରୋଜଙ୍କ ସ୍କୁଟି, ଟଙ୍କା ଥିବା ପର୍ସ, ମୋବାଇଲ ଫୋନ ଜବତ ହୋଇଛି। ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସ, ବୁର୍ଲା ଥାନା ଅଧିକାରୀ କମଳ ଲୋଚନ ପଣ୍ଡା ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

ଫିରୋଜଙ୍କ ବାପା ଯତୀନ୍ଦ୍ରଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟାରେ ସେ ସ୍କୁଟି ଧରି ଘରୁ ବାହାରିଥିଲେ। ହେଲେ ରାତି ୧୦ଟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଏପରିସ୍ଥଳେ ଫିରୋଜଙ୍କ ମୃତଦେହ ଗୋଡଭଗା କଲେଜ ନିକଟ ରାସ୍ତାପାର୍ଶ୍ୱରେ ପଡିଥିବା ନେଇ ସକାଳେ ଖବର ମିଳିଥିଲା। ଫିରୋଜଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ଦାସ କହିଛନ୍ତି, ରାସ୍ତା କଡରେ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଜଣେ ବ୍ୟକ୍ତି ସୂଚନା ଦେଇଥିଲେ। ତଦନ୍ତ ପରେ ଏହା ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରଯାଉଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଏହାକୁ ନେଇ ଜିଲା କିନ୍ନର ସଂଘର ଏକ ପ୍ରତିନିଧି ଦଳ ବୁର୍ଲା ଥାନାକୁ ଯାଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ।

Share