Categories: ଖେଳ

୭୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ କିରଣ

ହାଙ୍ଗଝୋ, ୩୦୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି କିରଣ ବଳିୟାନ। ଦୀର୍ଘ ୭୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ମହିଳା ଶଟ୍‌ପୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୪ ବର୍ଷୀୟା ବଳିୟାନ ନିଜର ତୃତୀୟ ଉଦ୍ୟମରେ ୧୭.୩୬ ମିଟର ଶଟ୍‌ପୁଟ୍‌ ଫିଙ୍ଗିଥିଲେ। ଯାହାକି ତାଙ୍କୁ ବ୍ରୋଞ୍ଜ ପଦକ ସଫଳତା ଦେଇଥିଲା। ଏସିଆନ ଗେମ୍ସ ଇତିହାସରେ କିରଣ ଦ୍ୱିତୀୟ ଭାରତୀୟ ଭାବେ ମହିଳା ଶଟ୍‌ପୁଟ୍‌ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ୧୯୫୧ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଂସ୍କରଣରେ ମୁମ୍ବାଇର ଆଙ୍ଗ୍ଲୋ-ଇଣ୍ଡିଆନ ବାର୍ବରା ଓ୍ବେବଷ୍ଟର ଏହି ଇଭେଣ୍ଟରୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚଳିତ ସିଜନରେ କିରଣଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ହେଉଛି ୧୭.୯୨ ମିଟର। ସେପ୍ଟେମ୍ବର ୧୦ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୫ରେ ସେ ଏହି ସଫଳତା ପାଇଥିଲେ। କିରଣଙ୍କ ସହ ଏସିଆନ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟତମ ଭାରତୀୟ ମନପ୍ରୀତ କୌର ୧୬.୨୫ ମିଟର ସହିତ ୫ମ ସ୍ଥାନରେ ରହିଥିଲେ।
ମହିଳା ୪୦୦ ମିଟର ରେସ୍‌ରେ ହିମାଂଶି ମଲିକ ହିଟ୍‌ରେ ୫ମ ସ୍ଥାନରେ ରହିବାରୁ ଫାଇନାଲ୍ସ ପାଇଁ ଯୋଗ୍ୟତା ପାଇ ନ ଥିଲେ। ୨୧ ବର୍ଷୀୟା ହିମାଂଶି ହିଟ୍‌ ନମ୍ବର ୩ରେ ୫୭.୮୨ ସେକେଣ୍ଡ ସମୟ ନେଇଥିଲେ। ତାଙ୍କ ସହ ରେସ୍‌ କରିଥିବା ଅନ୍ୟତମ ଭାରତୀୟ ଐଶ୍ୱର୍ଯ୍ୟା ମିଶ୍ରା ୫୨.୭୩ ସେକେଣ୍ଡ ସମୟ ନେଇ ଫାଇନାଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ୪୦୦ ମିଟର ରେସ୍‌ରେ ମହମ୍ମଦ ଆଜମଲ ୪୫.୭୬ ସେକେଣ୍ଡ ସମୟ ନେଇ ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ମହମ୍ମଦ ଆନାସ ୟାହିୟା କିନ୍ତୁ ବିଫଳ ହୋଇଛନ୍ତି। ମହିଳା ହାମର ଥ୍ରୋ ଫାଇନାଲରେ ତାନ୍ୟା ଚୌଧାରୀ ଓ ରଚନା କୁମାର ଯଥାକ୍ରମେ ୬୦.୫୦ ଓ ୫୮.୧୩ ମିଟର ସହିତ ୭ମ ଓ ୯ମ ସ୍ଥାନରେ ରହିଥିଲେ। ମହିଳା ୨୦ କିଲୋମିଟର ରେସ୍‌ ଓ୍ବାକ୍‌ରେ ପ୍ରିୟଙ୍କା ଗୋସ୍ବାମୀ ୫ମ ସ୍ଥାନରେ ରହିଥିଲେ। ସେ ୧ ଘଣ୍ଟା ୪୩ ମିନିଟ ୭ ସେକେଣ୍ଡ ସମୟ ନେଇଥିଲେ। ପୁରୁଷ ୨୦ କିମି ରେସ୍‌ ଓ୍ବାକ୍‌ରେ ବିକାଶ ସିଂ ୫ମରେ ରହିଥିଲେ। ସନ୍ଦିପ ସିଂ ରେସ୍‌ ସମୟରେ ଅଯୋଗ୍ୟ ଘୋଷିତ ହୋଇଥିଲେ।

Share