ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍ପି ଥିବା ବଲିଉଡ୍ ଅଭିନେତ୍ରୀ କିରନ ଖେର୍ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ ବଦଳରେ ସଞ୍ଜୟ ଟଣ୍ଡନଙ୍କୁ ଟିକେଟ ଦେଇଛି। ତେବେ ଦଳ ତାଙ୍କ ଟିକେଟ କାଟି ନ ଥିବା ଏକ ସାକ୍ଷାତ୍କାରରେ କିରନ ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ ନିଜଆଡୁ ନିର୍ବାଚନ ଲଢ଼ିବାକୁ ଭାଜପା ଶୀର୍ଷ ନେତୃତ୍ୱକୁ ମନା କରିଥିବା କହିଛନ୍ତି। ୨ ମାସ ପୂର୍ବରୁ କିରନ ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ଥିର କରିଥିଲେ ଏବଂ ଏନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜଣାଇଥିଲେ। ଚଳିତ ନିର୍ବାଚନରୁ ମୁକ୍ତ କରିବାକୁ ଉଭୟ ନେତାଙ୍କୁ ସେ ଅନୁରୋଧ କରିଥିବା ଏହି ସାକ୍ଷାତ୍କାରରେ କିରନ କହିଛନ୍ତି। ୨୦୨୧ରେ କିରଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସା ପାଇଁ ମୁମ୍ବାଇରେ ତାଙ୍କୁ ପ୍ରାୟ ବର୍ଷେ ରହିବାକୁ ପଡ଼ିଥିଲା, ଫଳରେ ସେ ଦୀର୍ଘ ଦିନ ଧରି ନିଜ ନିର୍ବାଚନମଣ୍ଡଳୀ ଚଣ୍ଡିଗଡ଼କୁ ଯାଇପାରି ନ ଥିଲେ। ଯଦିଓ ସେ ଏବେ କର୍କଟ ରୋଗରୁ ସୁସ୍ଥଲାଭ କରିଛନ୍ତି କିନ୍ତୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ଚଳିତ ନିର୍ବାଚନ ନ ଲଢ଼ିବାକୁ ସ୍ଥିର କରିଥିବା କିରନ କହିଛନ୍ତି।