Categories: ଖେଳ

କିରଣ କ୍ୱାର୍ଟରରେ, ଅସ୍ମିତା ପରାସ୍ତ

ବ୍ୟାଙ୍କକ୍‌, ୨ା୬:ଭାରତର କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ ଜାରି ରଖି ଥାଇଲାଣ୍ଡ ଓପନ ସୁପର ୫୦୦ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ଚାଇନାର ଓ୍ବେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସର ଏକ ପ୍ରି-କ୍ୱାର୍ଟରରେ ବିଶ୍ୱର ୫୯ ନମ୍ବର ଖେଳାଳି କିରଣ ତାଙ୍କଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୧୧, ୨୧-୧୯ରେ ପରାସ୍ତ କରିବାକୁ ମାତ୍ର ୩୯ ମିନିଟ ସମୟ ନେଇଥିଲେ। କିରଣ ପ୍ରଥମ ଥର ଏକ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୫୦୦ ଇଭେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ଓଡ଼ିଶା ଓପନ ବିଜେତା ଶୁକ୍ରବାର କ୍ୱାର୍ଟରଫାଇନାଲରେ ହଂକଂର ଏଙ୍ଗ୍‌ କା ଲଙ୍ଗ୍‌ ଆଙ୍ଗସ ଓ ଫ୍ରାନ୍ସର ଟୋମା ଜୁନିୟର ପେପୋଭଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ। ୨୩ ବର୍ଷୀୟା ଅସ୍ମିତା ଛଲିଆ ୧୮-୨୧, ୧୩-୨୧ରେ ପୂର୍ବତନ ଅଲିମ୍ପିକ ଓ ୩ ଥର ବିଶ୍ୱ ଚାମ୍ପିୟନ ସ୍ପେନର କାରୋଲିନା ମାରିନଙ୍କଠାରୁ ହାରିଯାଇଛନ୍ତି।
ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ସାଇନା ନେହ୍ବାଲ ୩ୟ ସିଡ୍‌ ତଥା ବିଶ୍ୱର ୫ ନମ୍ବର ଖେଳାଳି ଚାଇନାର ହି ବିଙ୍ଗ୍‌ ଜାଓଙ୍କଠାରୁ ୧୧-୨୧, ୧୪-୨୧ ଗେମ୍‌ରେ ପରାଜିତ ହୋଇଛନ୍ତି। ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ମଧ୍ୟ ସେମାନଙ୍କ ପ୍ରି-କ୍ୱାର୍ଟରଫାଇନାଲ ମ୍ୟାଚରେ ଇଣ୍ଡୋନେସିଆର ମହମ୍ମଦ ଶୋହିବୁଲ ଫ୍ରିକ୍ରି ଓ ବାଗାସ ମାଉଲାନାଙ୍କଠାରୁ ୨୬-୨୪, ୧୧-୨୧, ୧୭-୨୧ରେ ହାରିଯାଇଛନ୍ତି।
ସୂଚନାଯୋଗ୍ୟ, ବିଡବ୍ଲ୍ୟୁ ଓ୍ବାଲର୍‌ଡ ଟୁର୍‌କୁ ୬ଟି ସ୍ତରରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ, ଚାରୋଟି ସୁପର ୧୦୦୦, ଛଅଟି ସୁପର ୭୫୦, ସାତଟି ସୁପର ୫୦୦ ଏବଂ ୧୧ଟି ସୁପର ୩୦୦ ଟୁର୍ନାମେଣ୍ଟ। ଅନ୍ୟ କାଟେଗୋରି ହେଲା ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଲେଭଲ। ଏ ସମସ୍ତରେ ର଼୍ୟାଙ୍କିଙ୍ଗ ପଏଣ୍ଟ ବ୍ୟବସ୍ଥା ରହିଛି। ବିଡବ୍ଲ୍ୟୁଏଫ୍‌ ଟୁର୍ନାମେଣ୍ଟ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁପର ୫୦୦ ହେଉଛି ଏକ ଗ୍ରେଡ୍‌-୨ (ଲେଭଲ-୪) ଇଭେଣ୍ଟ।

Share