Categories: ଜାତୀୟ

ପଦ ସମ୍ଭାଳିବା ପୂର୍ବରୁ ରବିଶଙ୍କରଙ୍କୁ ଭେଟିଲେ ନୂଆ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ,୯।୭: ନୂତନ ପଦ ସମ୍ଭାଳିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଶୁକ୍ରବାର ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି। ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ବର୍ତ୍ତମାନ କିରନ ରିଜିଜୁ ନୂଆ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ରବି ଶଙ୍କରଙ୍କୁ ଭେଟିବା ପରେ ରିଜିଜୁ ତାଙ୍କ ପଦ ସମ୍ଭାଳିଛନ୍ତି। ଅନ୍ୟପଟେ ଏହି ସାକ୍ଷାତକାରକୁ ନେଇ ରିଜିଜୁ କହିଛନ୍ତି, ଏକ ନୂତନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟି କୋଣକୁ ଆଗେଇ ନେବା ଲାଗି ସେ ରବି ଶଙ୍କରଙ୍କଠାରୁ ମାର୍ଗଦର୍ଶନ ଲାଭ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଥିବା ୧୨ଜଣ ମନ୍ତ୍ରୀଙ୍କ ମଧ୍ୟରୁ ରବି ଶଙ୍କର ହେଉଛନ୍ତି ବରିଷ୍ଠ ତଥା ପ୍ରଭାବଶାଳୀ ମନ୍ତ୍ରୀ। ଗୁରୁବାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମସ୍ତ ନୂତନ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ନୂତନ ମନ୍ତ୍ରୀମାନଙ୍କୁ ମୋଦି କହିଛନ୍ତି ଯେ, ରବି ଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକରଙ୍କଠାରୁ ସେମାନଙ୍କୁ ଶିଖିବା ଉଚିତ୍‌। ଏପରି ନୁହେଁ କି ସେମାନେ ସକ୍ଷମ କିମ୍ବା କ୍ଷମତାଶୀଳ ନୁହଁନ୍ତି ବୋଲି ପଦରୁ ହଟାଯାଇଛି ବରଂ ଏମାନଙ୍କୁ ବ୍ୟବସ୍ଥା ଯୋଗୁ ଦୂରେଇ ଦିଆଯାଇଛି ବୋଲି ମୋଦି କହିଛନ୍ତି। ଯେଉଁମାନେ ତାଙ୍କ ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି ସେମାନେ ପଦ ସମ୍ଭାଳିବା ପୂର୍ବରୁ ତାଙ୍କୁ ଭେଟି ତାଙ୍କର ଅଭିଜ୍ଞତା ଓ ଓ ତାଙ୍କର ମାର୍ଗଦର୍ଶନର ଲାଭ ଉଠାଇବାକୁ ମୋଦି ପରାମର୍ଶ ଦେଇଛନ୍ତି।

 

Share