ଭିଜିଲାନ୍ସ ଜାଲରେ କିରାଣି, ଡାଟାଏଣ୍ଟ୍ରି ଅପରେଟର

ବ୍ରହ୍ମପୁର ଅଫିସ,୨୭ା୧୦: ଔଷଧ ଦୋକାନ ସ୍ଥାନାନ୍ତର ପାଇଁ ବ୍ରହ୍ମପୁରରେ ଥିବା ଗଞ୍ଜାମ ରେଞ୍ଜ-୧ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ କନିଷ୍ଠ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ ହେଲେ କନିଷ୍ଠ କିରାଣି ଜୟନ୍ତ କୁମାର ମଲିକ ଓ ଡାଟା ଏଣ୍ଟ୍ରି ଅପରେଟର ପ୍ରେମାଞ୍ଜନ ସ୍ବାଇଁ। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ଲାଞ୍ଚ ଟଙ୍କା ସହ ଆବଶ୍ୟକ କାଗଜପତ୍ର ଜବତ କରିଛି। ଏନେଇ ସେମାନଙ୍କ ବିରୋଧରେ ଏକ ମାମଲା(ନଂ.୨୩/୨୨) ରୁଜୁ ହୋଇଛି। ଭିଜିଲାନ୍ସ ଅଧିକାରୀ ସେମାନଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ଜଣାପଡିଛି।

ପ୍ରକାଶ ଯେ, ଔଷଧ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ମ୍ୟାନେଜର ଗଞ୍ଜାମ ରେଞ୍ଜ-୧ ଡ୍ରଗ୍ସ ଇନ୍ସପେକ୍ଟର କାର୍ଯ୍ୟାଳୟର କିରାଣି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କହିଥିଲେ। ସେମାନେ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଦୋକାନ ମ୍ୟାନେଜର ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଗୁରୁବାର ସନ୍ଧ୍ୟାରେ ମ୍ୟାନେଜର ବ୍ରହ୍ମପୁରରେ ଥିବା ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇ ଜୟନ୍ତ ଓ ପ୍ରେମାଞ୍ଜନଙ୍କୁ ୨୫ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ସେତିକିବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରି ଦୁଇଜଣଙ୍କୁ କାବୁ କରିଥିଲେ।

Share