Categories: Uncategorized

କିରାଣିଙ୍କୁ ବସ୍‌ଉଠ୍‌ କଲେ ଏଡିଏମ୍‌, କର୍ମନିୟୋଜନ ଅଧିକାରିଣୀ

ଜଗତ୍‌ସିଂହପୁର ଅଫିସ, ୧୯।୪: ଜଗତ୍‌ସିଂହପୁର ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ରୁଦ୍ର ନାରାୟଣ ସାମନ୍ତଙ୍କୁ କର୍ମନିୟୋଜନ କାର୍ଯ୍ୟାଳୟ ଅଧିକାରିଣୀ (ଏମ୍ପ୍ଲଏମେଣ୍ଟ ଅଫିସର) ଅର୍ପିତା ପ୍ରିୟଦର୍ଶିନୀ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌) ସଚ୍ଚିଦାନନ୍ଦ ସାହୁ ବସ୍‌ଉଠ୍‌ କରିଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। କିରାଣି ସାମନ୍ତ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଦର୍ଶାଇ ଜିଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ଏଥିସହ ରାଜସ୍ବ ଅମଲା ସଂଘ ଓ ରାଜସ୍ବ ମିଳିତ ଅମଲା ମଞ୍ଚ ଜିଲା ଶାଖାର ସହାୟତା ଲୋଡ଼ିଛନ୍ତି। ଏହି ଘଟଣାରେ ରାଜସ୍ବ ଅମଲା ସଂଘ ଜିଲାପାଳ ପାରୁଲ ପଟାୱରୀଙ୍କ ହସ୍ତକ୍ଷେପ ଲୋଡ଼ି ସାମନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିବା ସଭାପତି ବିନୋଦ କୁମାର ରଥ ସୂଚନା ଦେଇଛନ୍ତି। ସେହିପରି ରାଜସ୍ବ ମିଳିତ ଅମଲା ମଞ୍ଚ ଜିଲା ଶାଖା ପକ୍ଷରୁ ମଧ୍ୟ ବୁଧବାର ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ହସ୍ତକ୍ଷେପ ସହ ସାମନ୍ତଙ୍କୁ ନ୍ୟାୟ ଦେବା ପାଇଁ ଅନୁରୋଧ କରାଯିବ ବୋଲି ଅଧ୍ୟକ୍ଷ ବୈଷ୍ଣବ ଚରଣ ଦାସ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାରା ଜିଲାରେ ଆଲୋଚନା ଜୋର ଧରିଛି। ଅପରପକ୍ଷରେ ଏଡିଏମ୍‌ ସାହୁ କହିଛନ୍ତି ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କିରାଣି ସାମନ୍ତ ଇ-ଅଫିସ୍‌ରେ ଫାଇଲ ଠିକ୍‌ ଭାବେ କାମ କରିପାରୁ ନ ଥିବା ସମ୍ପର୍କରେ କର୍ମନିୟୋଜନ ଅଧିକାରିଣୀ ପ୍ରିୟଦର୍ଶିନୀ ଅଭିଯୋଗ କରିଥିଲେ। ଜଣେ ଡିଲିଂ ଆସିଷ୍ଟାଣ୍ଟ ଭାବେ ୫ ବର୍ଷ କାମ କଲା ପରେ କିଛି ଜାଣି ନ ପାରିବା ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦା କରିଥିବା କହିଛନ୍ତି। ସେହିପରି କର୍ମ ନିୟୋଜନ ଅଧିକାରିଣୀ ପ୍ରିୟଦର୍ଶିନୀ ମଧ୍ୟ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।