ଚେନ୍ନାଇ,୮।୬ : ବିଶ୍ୱ ମହାସାଗର ଦିବସରେ ଚେନ୍ନାଇର ବେସନ୍ତ ନଗର ବେଳାଭୂମିର ସଫେଇ କାର୍ଯ୍ୟରେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ ଅଂଶଗ୍ରହଣ କରିଥିଲେ। ସେ ପରିମଳ କର୍ମଚାରୀଙ୍କ ସହ ସମୁଦ୍ର କୂଳ ମଧ୍ୟ ସଫା କରିଥିଲେ। ସ୍ବଚ୍ଛତା ଅଭିଯାନ ସମୟରେ ସେ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।
ସେ କହିଛନ୍ତି, ଏହି ବିଶ୍ୱ ମହାସାଗର ଦିବସରେ ଆମେ କେବଳ ଏକ ସମୁଦ୍ର କୂଳକୁ ସଫା କରିବା ସହିତ ସମୁଦ୍ର କୂଳକୁ ସଫା ରଖିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ। ବେଳାଭୂମି ସଫା କରୁଥିବାର ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରତିବର୍ଷ ଜୁନ ୮ରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଏ। ଏଥର ତାମିଲନାଡୁର ଚେନ୍ନାଇରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ନେତୃତ୍ୱରେ ବିଭିନ୍ନ ସଂଗଠନ ଏକ ସ୍ବଚ୍ଛତା ଅଭିଯାନ ପାଇଁ ଏକାଠି ହୋଇଛନ୍ତି।