ଚଣ୍ଡିଗଡ,୧୫।୩: ଚଣ୍ଡିଗଡର ଭାଜପା ଏମ୍ପି ତଥା ଅଭିନେତ୍ରୀ କିରନ ଖେର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମୋତେ ଭୋଟ ନ ଦେଉଥିବା ବ୍ୟକ୍ତି ନିଜକୁ ଲଜ୍ଜିତ ଅନୁଭବ କରିବା ଉଚିତ୍। ଏହାସହ ସେମାନଙ୍କୁ ଚପଲରେ ମାଡ ଆବଶ୍ୟକ। ସୋସିଆଲ ମିଡିଆରେ ଖେରଙ୍କ ଏହି ଭିଡିଓ ଭାଇରାଲ ହେଉଛି।
କିରନ କିଶାନଗଡ ଗାଁ ରାସ୍ତାର ମୂଳଦୁଆ ପକାଇବା ପାଇଁ ପହଞ୍ଚିଥିଲେ। କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି(ଏଏପି)ର କର୍ମୀମାନେ ଏଏପି ଜିନ୍ଦାବାଦର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ଶୁଣି ଭାଜପା କର୍ମୀମାନେ କିରନ ଖେର ଏବଂ ଭାରତୀୟ ଜନତା ପାର୍ଟି ଜିନ୍ଦବାଦର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସ୍ଲୋଗାନରେ କିରଣ ରାଗିଯାଇଥିଲେ। କିରଣ ଏଠାକୁ ଆସିବା ପୂର୍ବରୁ ମଧ୍ୟ ବିରୋଧର ସାମ୍ନା କରିଥିଲେ।
ପରେ କିରଣ କହିଥିଲେ, ଦୀପ କମ୍ପ୍ଲେକ୍ସର କୌଣସି ବ୍ୟକ୍ତି ଯଦି ମୋତେ ଭୋଟ ନ ଦିଅନ୍ତି ତେବେ ଏହା ଏକ ଲଜ୍ଜାଜନକ ବିଷୟ। ସେମାନେ ଚପଲ ମାଡ ହେବା ଉଚିତ୍। ଏହି ସମୟରେ ମେୟର ଅନୁପ ଗୁପ୍ତା ଏବଂ ମ୍ୟୁନିସିପାଲିଟି କର୍ପୋରେସନ କମିଶନର୍ ଅନିନ୍ଦିତା ମିତ୍ର ଉପସ୍ଥିତ ଥିଲେ।