ନୂଆଦିଲ୍ଲୀ,୩୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୨ ମାସ ହେବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି କୃଷକ । ବୁଧବାର ଘଟିଥିବା ଘଟଣା ପରେ ଏହି ଆନ୍ଦୋଳନ ନୂଆ ମୋଡ ନେଇଛି । କୃଷକ ନେତା ରାକେଶ ଟିକାଏତ୍ଙ୍କ ଆଖିର ଲୁହ ଏହି ଆନ୍ଦୋଳନକୁ ତୀବ୍ର କରିଛି । ଫଳରେ ଗାଜିପୁର ସୀମାରେ ବହୁ ସଂଖ୍ୟାରେ କୃଷକ ପହଞ୍ଚିବାରେ ଲାଗିଛନ୍ତି । ଗତ ୩୬ ଘଣ୍ଟା ମଧ୍ୟରେ ଗାଜିପୁର ସୀମାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ପ୍ରାୟ ୪ ଗୁଣା ବୃଦ୍ଧି ପାଇଛି । କୃଷକଙ୍କ ସଂଖ୍ୟା ବୃଦ୍ଧି ଘଟି ୮-୧୦ ହଜାରରେ ପହଞ୍ଚିଲାଣି । ୨୬ ଜାନୁୟାରୀରେ ଯେଉଁସବୁ ତମ୍ବୁକୁ ଉଠାଇ ଦିଆଯିବା ଦେଖାଯାଇଥିଲା ଶୁକ୍ରବାର ପୁଣିଥରେ ଏହା ଲାଗିଯାଇଛି । ବେଳକୁ ବେଳ ଆନ୍ଦୋଳନ ତୀବ୍ର ହେଉଥିବାରୁ ରାକେଶ ଟିକାଏତ୍ କହିଛନ୍ତି ଆମେ ଆନ୍ଦୋଳନ ପାଇଁ ସମ୍ମାନର ସହ ଆସିଥିଲୁ ସମ୍ମାନର ସହ ଫେରିବୁ । ଅର୍ଥାତ୍ ସରକାର କୃଷି ଆଇନକୁ ଫେରାଇ ନେବା ସହ ଆମେ ବିଜୟୀ ହୋଇ ଘରକୁ ଫେରିବୁ ବୋଲି ସେ କହିଛନ୍ତି ।