୨ ମାସରେ କିଷାନ କଂଗ୍ରେସକୁ ସୁଦୃଢ଼ କରାଯିବ: ଶରତ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): କେନ୍ଦ୍ରରେ ଭାଜପା ଏବଂ ରାଜ୍ୟରେ ବିଜେଡି ଶାସନ କାଳରେ ଚାଷୀ ସବୁଠୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣିକି ଚାଷୀକୁଳ ଆଉ ସରକାରଙ୍କ କୃଷକମାରଣ ନୀତିକୁ ବରଦାସ୍ତ କରିବେ ନାହିଁ। ଗାଁ ଗଣ୍ଡାରେ ଚାଷୀ ମେଳି ଦୁର୍ବାର ରୂପ ନେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ ଚିନ୍ତନ ଶିବିରରେ ଯୋଗଦେଇ ଶରତ କହିଛନ୍ତି, ଆସନ୍ତା ୨ ମାସ ମଧ୍ୟରେ ଗ୍ରାମାଞ୍ଚଳରୁ କିଷାନ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରାଯାଇ ପରବର୍ତ୍ତୀ ସମୟରେ ଏକ ବିଶାଳ ଚାଷୀ ସମାବେଶ ହେବ। ଏହି ଅବସରରେ ଅଖିଳ ଭାରତ କିଷାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଲ ସିଂ ଖେରା ଯୋଗଦେଇ କହିଛନ୍ତି, ଓଡ଼ିଶାର ଚାଷୀ ଚାଷ ଛାଡି଼ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି ଜିଲାରେ କିଷାନ କଂଗ୍ରେସ ପକ୍ଷରୁ ଜିଲାସ୍ତରୀୟ କିଷାନ ଚିନ୍ତନ ଶିବିର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।

Share