Categories: ଖେଳ

କିଶନ, ଗିଲ୍‌ଙ୍କ ଶତକୀୟ ଭାଗୀଦାରି

ତ୍ରିନିଦାଦ,୨ା୮: ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଶତକୀୟ ଭାଗୀଦାରି କରିଛନ୍ତି ଇଶାନ କିଶନ ଓ ଶୁବମାନ ଗିଲ୍‌। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପ୍ରଥମ ଉଇକେଟରେ ୧୪୩ ରନ୍‌ ଯୋଡିଥିଲେ ଇଶାନ୍‌ କିଶନ ଓ ଶୁବମାନ ଗିଲ୍‌। ଖବର ପ୍ରସ୍ତୁତ ସୁଦ୍ଧା ଭାରତ ୩୨ ଓଭରରେ ୩ ଉଇକେଟ ହରାଇ ୨୨୪ ରନ୍‌ ସଂଗ୍ରହ କରିଛି। ଦ୍ୱିତୀୟ ମ୍ୟାଚ୍‌ ପରି ଭାରତ ପୁଣି ଥରେ ପରୀକ୍ଷା ନୀରିକ୍ଷା ଜାରି ରଖି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଥିଲା। ଏହି ମ୍ୟାଚରେ ଅକ୍ଷର ପଟେଲ୍‌ ଓ ଉମ୍ରାନ୍‌ ମଲିକଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ ଓ ଜୟଦେବ ଉନାଡକଟଙ୍କୁ ସାମିଲ କରାଯାଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଏକ ଦୃଢ ଆରମ୍ଭ ପ୍ରଦାନ କରିଥିଲେ କିଶନ ଓ ଗିଲ୍‌। କିଶନ୍‌ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିବା ସହିତ ସିରିଜ୍‌ରେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୬୪ ବଲ ଖେଳି ସେ ୭୭ ରନ୍‌ ସ୍କୋର କରିଥିଲେ। କିଶନଙ୍କ ଇନିଂସରେ ୮ ଚୌକା ଓ ୩ ଛକା ସାମିଲ ଥିଲା। ପ୍ରଥମ ଉଇକେଟରେ ୧୪୩ ରନ୍‌ ଯୋଡିବା ପରେ ବଡ ଶଟ୍‌ ଖେଳିବାକୁ ଯାଇ ୟାନିକ୍‌ କାରିଆଙ୍କ ବଲ୍‌ରେ ଷ୍ଟମ୍ପ ଆଉଟ ହୋଇଥିଲେ। ଉଭୟ ଖେଳାଳି ଓଭର ପିଛା ୭ରୁ ଅଧିକ ହାରରେ ରନ୍‌ ସଂଗ୍ରହ କରିଥିଲେ।ସିରିଜ୍‌ରେ ପ୍ରଥମ ଥର ସୁଯୋଗ ପାଇଥିବା ଋତୁରାଜ ଗାଏକ୍ୱାଡ ମାତ୍ର ୮ ରନ୍‌ କରି ଆଲଜାରି ଯୋଶେଫ୍‌ଙ୍କ ଶିକାର ହୋଇଥିଲେ। ପରେ ସଞ୍ଜୁ ସାମସନ୍‌ କ୍ରିଜ୍‌ରେ ଯୋଗ ଦେବା ସହିତ ଗିଲ୍‌ଙ୍କ ସହିତ ୬୯ ରନ୍‌ ଯୋଡିଛନ୍ତି। ଗିଲ୍‌ ୭୨ ବଲ୍‌ ଖେଳି ୧୧ ଚୌକା ସହିତ ୭୬ ରନରେ ବ୍ୟାଟିଂ କରୁଛନ୍ତି। ଅନ୍ୟ ପକ୍ଷରେ ସାମସନ୍‌ ୪୧ ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ଏହି ଇନିଂସରେ ୨ ଚୌକା ଓ ୪ ଛକା ସାମିଲ ରହିଛି। ୧୩ ତମ ଦିନିକିଆ ମ୍ୟାଚ୍‌ ଖେଳୁଥିବା ସାମସନଙ୍କର ଏହ ତୃତୀୟ ଅର୍ଦ୍ଧଶତକ। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଆଲଜାରି ଯୋଶେଫ୍‌,ୟାନିକ୍‌ କାରିଆ ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଭାରତ ୩୨ ଓଭରରେ ୨୨୪/୩( ଶୁବମାନ ଗିଲ୍‌-୭୬*, ଇଶାନ୍‌ କିଶନ-୭୭, ସଞ୍ଜୁ ସାମସନ୍‌-୫୧, ରୋମାରିଓ ଶେଫର୍ଡ-୧/୩୬, ଆଲଜାରି ଯୋଶେଫ୍‌-୧/୩୮, ୟାନିକ୍‌ କାରିଆ-୧/୪୩)।

Share