Categories: ଖେଳ

କିଶୋର, ଲାଜରୁସ୍‌ ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଓଡ଼ିଶାର ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ‘ଆଥଲେଟ୍‌ ଅଫ୍‌ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇବେ। ସେହିପରି ହକି ଅଲିମ୍ପିଆନ ଲାଜରୁସ ବାର୍ଲାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ାକୁ ଆଜୀବନ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମିଳିଥିବା ସୂଚନା ଅନୁସାରେ ନିକଟରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଅମିତ ରୋହିଦାସଙ୍କ କୋଚ୍‌ ବିଜୟ ଲାକ୍ରା ଶ୍ରେଷ୍ଠ କୋଚ୍‌ ବିଭାଗରେ ପୁରସ୍କାର ଲାଭ କରିବେ। ରାଉରକେଲାରେ କାର୍ଯ୍ୟରତ ଲାକ୍ରାଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିବା ଅମିତ ଇତିମଧ୍ୟରେ ୨ଥର ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗର୍ବିତ କରିଛନ୍ତି। ବାପି ହଁାସଦା ଶ୍ରେଷ୍ଠ ଆଥଲେଟ୍‌ (ଜୁନିୟର), ଜାଫର ଇକବାଲ (ପାରା ଆଥଲେଟ୍‌) ବର୍ଗରେ ପୁରସ୍କୃତ ହେବେ। ସେହିପରି ଶ୍ରେଷ୍ଠ କୋଚ୍‌ (ଟେକ୍ନିକାଲ) ପୁରସ୍କାର ପାଇବେ ରୂପାନ୍ବିତା ପଣ୍ଡା। ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଇମର୍ଜିଂ ପ୍ଲେୟର ପୁରସ୍କାର ଲାଭ କରିବେ। ଶ୍ରେଷ୍ଠ କ୍ରୀଡ଼ା ଖବରଦାତା ପୁରସ୍କାର ପାଇବେ ସୁକେଶ ବେହେରା। ସ୍ପୋଟର୍‌ସ ପ୍ରମୋଶନ ପାଇଁ ନାଲ୍‌କୋକୁ ପୁରସ୍କୃତ କରାଯିବ। ପ୍ରକାଶଯୋଗ୍ୟ ଯେ, ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପାଇଁ ଫଳକ ଓ ମାନପତ୍ର ସହ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ୨ ଲକ୍ଷ, ଶ୍ରେଷ୍ଠ କୋଚ୍‌, ଉଦୀୟମାନ ଆଥଲେଟ୍‌, ପାରା କ୍ରୀଡ଼ାବିତ୍‌, ଟେକ୍ନିକାଲ ଅଫିସିଆଲ, ଖବରଦାତା ଓ ସ୍ପୋଟର୍‌ସ ପ୍ରମୋଶନ ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ଏବଂ ଫଳକ ଓ ମାନପତ୍ର ପ୍ରଦାନ କରାଯିବ। କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ ୨୯ରେ ଏହି ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ।

Share