Categories: ଖେଳ

କିଶୋର କ୍ଲବ ଚାମ୍ପିୟନ

ଭୁବନେଶ୍ୱର, ୧୧।୧୨ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍‌ରେ କିଶୋର କ୍ଲବ ଚାମ୍ପିୟନ ହୋଇଛି। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ରବିବାର ଅନୁଷ୍ଠିତ ଫାଇନାଲରେ କିଶୋର କ୍ଲବ ୫-୦ ଗୋଲରେ କ୍ଲବ-୭୩କୁ ପରାସ୍ତ କରିଛି। କିଶୋର କ୍ଲବ ପକ୍ଷରୁ ପପୁ ମାଝୀ ୨୭ ଓ ୬୫ତମ ମିନିଟରେ ୨ଟି ଏବଂ ବେଞ୍ଜାମିନ୍‌ ମୁର୍ମୁ ୨୦, ସୌରଭ ଚୌଧୁରୀ ୪୦, ଭବାନୀ ବେନାଲ ୫୮ ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଆଥଲେଟ୍‌ ପ୍ରଣତି ମିଶ୍ର ଅତିଥିଭାବେ ଯୋଗଦେଇ ପପୁ ମାଝିଙ୍କୁ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଆସୋସିଏଶନ ସଭାପତି ସୁରେଶ କୁମାର ରାଉତରାୟ, ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଗତିକୃଷ୍ଣ ପଣ୍ଡାଙ୍କ ପୁତ୍ର ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ ଆସୋସିଏଶନ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି। ରେଫରି ଶିବ ଶଙ୍କର ପଣ୍ଡା ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ତାଙ୍କୁ ସହାୟତା କରିଥିଲେ ସୁଜିତ ପାତ୍ର ଓ ଶିବ ସାମନ୍ତରାୟ। ସୁଜିତ ପାତ୍ର ଚତୁର୍ଥ ରେଫରି ଏବଂ ସୁଦୀପ୍ତା ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ।

Share