Categories: ଖେଳ

ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ, ପ୍ୟାରିସ୍‌ ଅଲମ୍ପିକ୍ସ ଯାତ୍ରାର ଅନ୍ତ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ନିରାଶ କରିଛନ୍ତି ଓଡ଼ିଶାର ପୁଅ କିଶୋର ଜେନା । ପୁରୀ ଜିଲାରୁ ଅଲମ୍ପିକ୍ସ ଯାତ୍ରା କରିଥିବା ଜାଭେଲିନ୍‌ ଷ୍ଟାର କିଶୋର ଜେନା ଅଲମ୍ପିକ୍ସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏସିଆନ୍‌ ଗେମ୍ସରେ ସିଲଭର ଜିତିଥିବା ଏହି କ୍ରୀଡ଼ା ତାରକା ପ୍ରଥମଥର ପାଇଁ ଅଲମ୍ପିକ୍ସରେ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ତାଙ୍କ ଉପରେ ଓଡ଼ିଶାବାସୀ ତଥା ସାରା ଭାରତର ନଜର ରହିଥିଲା । ହେଲେ ସେ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ବିଫଳ ହୋଇଛନ୍ତି ।

କିଶୋର ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଗ୍ରୁପ୍‌ରେ ରହିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ କିଶୋର ଜେନା ୮୪ ମିଟର ଜାଭେଲିନ୍‌ ଫିଙ୍ଗିବାକୁ ସକ୍ଷମ ହୋଇନଥିଲେ । ଫଳରେ ସେ ପରବର୍ତ୍ତୀ ପର୍ଯ୍ୟାୟରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ପ୍ରଥମ ପ୍ରୟାସରେ ୮୦.୭୩ ମିଟର ଜାଭେଲିନ୍‌ ଫୋପାଡ଼ି ଥିଲେ । ଦ଼୍ବିତୀୟ ଥ୍ରୋ ତାଙ୍କର ଫାଉଲ ହୋଇଥିଲା । ଏହାପରେ ତୃତୀୟ ତଥା ଶେଷ ଥ୍ରୋରେ ସେ ୮୦.୨୧ ମିଟର ଜାଭେଲିନ୍‌ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ ।

ଅନ୍ୟପଟେ ଟୋକିଓ ଅଲମ୍ପିକ୍ସରେ ସ଼୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍‌ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ମିଳିଛି । ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । କିଶୋରଙ୍କ ବିଫଳତା ପରେ ଏବେ ସମସ୍ତଙ୍କ ନଜର ନୀରଜଙ୍କ ଉପରେ ରହିଛି । ନୀରଜ ପୁଣିଥରେ ଗୋଲ୍ଡ ଆଣିବେ ବୋଲି ଭାରତୀୟ ଆଶା ରଖିଛନ୍ତି ।

Share