Categories: ଖେଳ

ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର

ନୂଆଦିଲ୍ଲୀ,୧୧ା୧: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଆଥ୍‌ଲେଟଙ୍କୁ ବିଦେଶରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ। ଗୁରୁବାର ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ଅଷ୍ଟ୍ରେଲିଆରେ ପ୍ରସ୍ତୁତି ପାଇଁ ଅନୁମତି ମିଳିଥିବା ବେଳେ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଆମେରିକାରେ ରହିବା ପାଇଁ ଅନୁମତି ମିଳିଛି।
ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜେତା କିଶୋରଙ୍କୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅଭ୍ୟାସର ଅନୁମତି ପ୍ରଦାନ କରାଯାଇଛି। ସେ ୭୮ ଦିନ ଧରି ସେଠାରେ ଅଭ୍ୟାସ କରିବେ। କିଶୋରଙ୍କ ସହ ତାଙ୍କ କୋଚ୍‌, ଫିଜିଓ ଥେରାପିଷ୍ଟ ମଧ୍ୟ ଅଷ୍ଟ୍ରେଲିଆ ଯାତ୍ରା କରିବେ।

ଅନ୍ୟପକ୍ଷେ ଆହତ ଥିବା ମୀରାବାଈ ଚାନୁ ଆମେରିକାର ସେଣ୍ଟ ଲୁଇସ୍‌ରେ ଅଭ୍ୟାସ କରିବେ। ଡାକ୍ତର ଆରୋନ୍‌ ହର୍ଷିଗ୍‌ ଓ ମୁଖ୍ୟ କୋଚ୍‌ ବିଜୟ କୁମାର ଶର୍ମାଙ୍କ ତତ୍ତ୍ୱାବଧାନରେ ଚାନୁ ଅଭ୍ୟାସ କରିବେ। ଟାର୍ଗେଟ୍‌ ଅଲିମ୍ପିକ୍ସ ପୋଡିୟମ ସ୍କିମ୍‌ (ଟପ୍ସ)ର ଏମ୍‌ଓ୍ବାଇଏଏସ୍‌ ପ୍ରୋଗ୍ରାମ ଜରିଆରେ କିଶୋରଙ୍କ ଫଣ୍ଡିଂ କରାଯାଇଛି। ଜେନା ଓ ତାଙ୍କ କୋଚ୍‌ଙ୍କ ଯାତାୟାତ ଖର୍ଚ୍ଚ ସହିତ ରହଣି ଖର୍ଚ୍ଚ କ୍ରୀଡ଼ା ମନ୍ତ୍ରଣାଳୟ ବହନ କରିବ। ଏହା ବ୍ୟତୀତ ୩ ରେସ୍‌ଲର ଦୀପକ ପୁନିଆ, ଆଶୁ ଓ ରୋନିତ ଶର୍ମାଙ୍କୁ ବିଦେଶରେ ଅଭ୍ୟାସ ଆବେଦନକୁ ମଧ୍ୟ ମଞ୍ଜୁର କରାଯାଇଛି। ଦୀପକ ଆମେରିକାର ମିଚିଗାନରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନ୍ୟ ଦୁଇ ରେସ୍‌ଲର କାଜାଖସ୍ତାନରେ ଅଭ୍ୟାସ କରିବେ।

Share