ପ୍ରେମର ଭାବକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଚୁମ୍ବନ ବା କିସ୍। ସେ ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ବାମୀ ସ୍ତ୍ରୀ ଚୁମ୍ବନ ମାଧ୍ୟମରେ ନିଜ ଭଲ ପାଇବାକୁ ଜାହିର କରନ୍ତି। ତେବେ କାନାଡାର ମାଇଲ୍ସ କ୍ଲାଟିୟର୍ ଓ ଦକ୍ଷିଣ ଆଫ୍ରିକାର ବେଥ୍ ନିଏଲେ ନାମକ ଦମ୍ପତି ଚୁମ୍ବନକୁ ନେଇ ରେକର୍ଡ କରିବାକୁ ଚାହିଁଥିଲେ। ଆଉ ସେମାନେ ପାଣି ଭିତରେ ଦୀର୍ଘ ୪ ମିନିଟ ୬ ସେକେଣ୍ଡ ପର୍ଯ୍ୟନ୍ତ ପରସ୍ପରକୁ ଚୁମ୍ବନ ଦେଇଥିଲେ। ଫଳରେ ସେମାନଙ୍କ ନାମ ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡସ୍ରେ ପାଣି ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁମ୍ବନ ଦେଇଥିବା ଦମ୍ପତିଭାବେ ସ୍ଥାନ ପାଇଲା। ମାଳଦ୍ୱୀପର ଏକ ସୁଇମିଂ ପୁଲ୍ରେ ଦୁହେଁ ଏହି ରେକର୍ଡ କରିଥିଲେ। ସକାଳ ୭ଟା ୩୦ରେ ସେମାନେ ପ୍ରୟାସ ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ବ୍ରିଥ୍ ହୋଲ୍ଡ ଓ୍ବାର୍ମ ଅପ୍, ତା’ପରେ ଦୁଇଟି ଟ୍ରାୟଲ ନେବା ପରେ ତୃତୀୟଥର ସଫଳ ହୋଇଥିଲେ। ସେମାନେ ଏହାକୁ କରିବା ଲାଗି ବହୁତ ଅଭ୍ୟାସ କରିଥିଲେ। ତଥାପି ଏହାକୁ କଲାବେଳେ ଜୀବନ ପ୍ରତି ବିପଦ ଥିଲା। ଅମ୍ଳଜାନ ଅଭାବରେ ଏତେ ସମୟ ଚୁମ୍ବନ ଦେଇ ରହିବା ବହୁତ କଷ୍ଟକର ଥିଲା। ବହୁ କଷ୍ଟରେ ସେମାନେ ରେକର୍ଡ କରିବାରେ ସଫଳ ହୋଇଥିଲେ।