Categories: ଖେଳ

କିଟ୍‌କୁ ୩ ସ୍ବର୍ଣ୍ଣ ସହ ୬ ପଦକ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କାନୋଇଂ ଓ କାୟାକିଂ (ମହିଳା) ପ୍ରତିଯୋଗିତାରେ କିଟ୍‌ ପ୍ରତିଯୋଗୀ ୬ଟି ପଦକ ହାସଲ କରିଛନ୍ତି। ଏହାମଧ୍ୟରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସାମିଲ। ଗତ ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଯୋଗିତାରେ କିଟ୍‌ ଦଳରେ ୩ ପ୍ରତିଯୋଗୀ ରଶ୍ମିତା ସାହୁ, ମଧୁସ୍ମିତା ନାୟକ ଓ ଏସ୍‌ମା ବାର୍ଲା ଅଂଶଗ୍ରହଣ କରିଥିଲେ। ଏମାନେ ୬ ପଦକ ହାସଲ ସହ ରନରଅପ୍‌ ଟ୍ରଫି ହାସଲ କରିଛନ୍ତି। ରଶ୍ମିତା ୨୦୦ ମିଟର (ସି୧) ଏବଂ ୫୦୦ ମିଟର (ସି୧)ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ। ରଶ୍ମିତା ଓ ମଧୁସ୍ମିତା ୨୦୦ ମିଟର (ସି୨) ଇଭେଣ୍ଟରେ ଦଳ ପାଇଁ ତୃତୀୟ ସ୍ବର୍ଣ୍ଣ ହାସଲ କରିଥିଲେ। ସେହିପରି ୧୦୦୦ ମିଟର (ସି୧) ଇଭେଣ୍ଟରେ ରଶ୍ମିତା ରୌପ୍ୟ, ୫୦୦ ମିଟର (ସି୨)ରେ ରଶ୍ମିତା ଓ ମଧୁସ୍ମିତା ରୌପ୍ୟ ଏବଂ ୨୦୦ ମିଟର (କେ୧) ଇଭେଣ୍ଟରେ ଏସ୍‌ମା ବାର୍ଲା ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ତିନିଜଣ ରୋୟର ସ୍ପୋଟର୍‌ସ କୋଟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଜଗତ୍‌ପୁରସ୍ଥିତ ସାଇ ଏନ୍‌ସିଓଇରେ ଟ୍ରେନିଂ ନେଉଛନ୍ତି। କାନୋଇଂ ଓ କାୟାକିଂ ସହକାରୀ କୋଚ୍‌ ରାଜକୁମାର ନିଶାଦ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

Share