Categories: ଖେଳ

କିଟ୍‌ ମହିଳା, ପୁରୁଷ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍‌ବୀ ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟର ମହିଳା ଓ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଓ ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌(ଏଆଇୟୁ)ର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ପ୍ରତିଯୋଗିତାର ରଗ୍‌ବୀ ଇଭେଣ୍ଟ ଲକ୍ଷ୍ନୌସ୍ଥିତ ଗୁରୁ ଗୋବିନ୍ଦ ସିଂ ସ୍ପୋଟର୍‌ସ କଲେଜ ପରିସରରେ ଅନୁଷ୍ଠିତ ହେଉଛି। ପୁରୁଷ ୭ଏସ୍‌ ଇଭେଣ୍ଟରେ କିଟ୍‌ ଦଳ ୟୁନିଭର୍ସିଟି ଅଫ୍‌ ମୁମ୍ବାଇକୁ ୩୧-୦ରେ ପରାସ୍ତ କରିଛି। ପରେ ଦ୍ୱିତୀୟ ମ୍ୟାଚରେ ପଞ୍ଜାବର ଲଭ୍‌ଲି ପ୍ରଫେଶନାଲ ୟୁନିଭର୍ସିଟିକୁ ୨୮-୧୨ରେ ହରାଇ ଦେଇଛି। ସେହିପରି ମହିଳା ୭ଏସ୍‌ ଇଭେଣ୍ଟରେ କିଟ୍‌ ଏହାର ପ୍ରଥମ ମ୍ୟାଚରେ ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟିକୁ ୫୧-୫ ଓ ଦ୍ୱିତୀୟ ମ୍ୟାଚରେ ଚଣ୍ଡିଗଡ଼ ୟୁନିଭର୍ସିଟିକୁ ୫୧-୦ରେ ପରାସ୍ତ କରିଛି। ଗୁରୁବାର ଅନ୍ତିମ ଲିଗ୍‌ ମ୍ୟାଚରେ କିଟ୍‌ର ମହିଳା ଓ ପୁରୁଷ ଦଳ କୋହ୍ଲାପୁରର ଶିବାଜୀ ୟୁନିଭର୍ସିଟିକୁ ଭେଟିବ। ଏଥିରେ ବିଜୟୀ ହେଲେ ପୁଲ୍‌ ଟପ୍ପର ହେବ। ପୁରୁଷ ଟେନିସ ଇଭେଣ୍ଟରେ କିଟ୍‌ ଦଳ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟକୁ ୨-୧ରେ ହରାଇ ଅଭିଯାନ ଆରମ୍ଭ କରିଛି। ଉଭୟ ଦଳ ସିଙ୍ଗଲ୍ସରେ ବିଜୟୀ ହୋଇଥିବାବେଳେ ଡବଲ୍ସରୁ ଫଳାଫଳ ନିର୍ଣ୍ଣୟ ହୋଇଥିଲା।

Share