Categories: ଖେଳ

କିଟ୍‌ ମହିଳା ଭଲିବଲ ଦଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଭଲିବଲ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି କିଟ୍‌ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ଏବଂ ଖେଲୋ ଇଣ୍ଡିଆ ଭଲିବଲ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଗୁରୁବାର ଶେଷ ହେବ। ପୁଲ୍‌ କ୍ୱାଲିଫାଇଂରେ କିଟ୍‌ ବିଶ୍ୱବିଦ୍ୟାଳୟ ବିହାରର ଟି.ଏମ. ଭାଗଲପୁରକୁ ୩-୦ (୨୫-୫, ୨୫-୧୩, ୨୫-୧୪)ରେ ପରାସ୍ତ କରିଥିଲା।

ସୁପରଲିଗ୍‌ରେ କିଟ୍‌ ୩-୦ରେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟକୁ ହରାଇ ଦେଇଥିଲା। କିଟ୍‌ ସହିତ ଆଡାମ୍ସ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଅଫ୍‌ ବର୍ଦ୍ଧମାନ ଏବଂ ୟୁନିଭର୍ସିଟି ଅଫ୍‌ କଲିକତା ସର୍ବଭାରତୀୟ ଯୋଗ୍ୟତା ପାଇଛି। ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଭଲିବଲ ଚାମ୍ପିୟନଶିପ୍‌ କେରଳର କୋଟାୟାମସ୍ଥିତ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୩ ଜାନୁୟାରୀ ୨ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଟ୍‌ ଦଳରେ ସାମିଲ ଥିବା ଖେଳାଳିମାନେ ହେଲେ ଶିବାନୀ ପ୍ରିୟଦର୍ଶିନୀ, ମାମାଲି ନାଗ୍‌, ସ୍ନେହମୟୀ କିଶାନ, ପ୍ରିୟମ୍ବଦା ଦାଶ, ସସ୍ମିତା ଦେହୁରୀ, ରିବିକା ବାର୍ଲା, ବବି ସିଂ, ଝନ ମୁର୍ମୁ, ସାଲ୍‌ମା ମୁର୍ମୁ, ଗୀତାରାଣୀ ସାଇ, ପୁଷ୍ପାଞ୍ଜଳି ଭୋଇ, ସିବିୟାନ୍ତି ଟିଗା। କୋଚ୍‌-ସଙ୍ଗୀତା ଟପ୍ପୋ।

Share