ମହାପ୍ରସାଦର ଉତ୍ପତ୍ତିସ୍ଥଳ ଶ୍ରୀମନ୍ଦିରର ପବିତ୍ର ରୋଷଘର। ଶ୍ରୀମନ୍ଦିର ପରିସରର ଦକ୍ଷିଣପୂର୍ବ କୋଣରେ, ଭିତରବେଢ଼ା ଏବଂ ବାହାରବେଢ଼ାର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରାୟ ୧୫୦ଫୁଟ ଦୈର୍ଘ୍ୟ ଓ ୧୦୦ଫୁଟ ପ୍ରସ୍ଥ ବିଶିଷ୍ଟ ରୋଷଘର ଅବସ୍ଥିତ। ୧୦ଟି ଧୂଆଁନଳା ଥିବା ଏହି ପାକଶାଳାଟି ମାଙ୍କଡାପଥରରେ ନିର୍ମିତ। ୬୦୦ରୁ ଅଧିକ ସୁଆର ଓ ସେମାନଙ୍କର ପ୍ରାୟ ୪୦୦ ସହକାରୀ ପ୍ରତିଦିନ ରୋଷଘରେ କାମ କରନ୍ତି। ବିଗ୍ରହମାନଙ୍କୁ ଅର୍ପଣ ହେଉଥିବା ଭୋଗଦ୍ରବ୍ୟଗୁଡ଼ିକ ପ୍ରସ୍ତୁତି ହେବା ପାଇଁ ରହିଛି ତିନିପ୍ରକାର ଚୁଲି, ଯାହା ଅନ୍ନଚୁଲି, ଅହିଆ, ପିଠାଚୁଲି ନାମରେ ପରିଚିତ। ରୋଷଶାଳାରେ ପ୍ରବେଶ କରିବାର ଅଧିକାର ଓ ରାନ୍ଧିବା ଅଧିକାର କେବଳ ସୁଆରମାନଙ୍କର ହିଁ ରହିଛି। କିମ୍ବଦନ୍ତୀ କହେ ଯେ, ସୁଆରମାନେ ବ୍ରାହ୍ମଣ ବିଦ୍ୟାପତି ଓ ଶବର ଲଳିତାଙ୍କ ବଂଶଧର। ରୋଷଶାଳା ଚଟାଣ ଉପରେ ପ୍ରାୟ ୪ ଫୁଟ ଉଚ୍ଚ ଓ ୨ ଫୁଟ ପ୍ରସ୍ଥ ବିଶିଷ୍ଟ ଲମ୍ବା ଲମ୍ବା ମାଟିର ପ୍ଲାଟଫର୍ମ ରହିଛି। ଏହି ପ୍ଲାଟଫର୍ମ ଉପରେ ଧାଡ଼ି ଧାଡ଼ି ହୋଇ ରହିଛି ଚୁଲିସବୁ। ସବୁଠାରୁ ଅଧିକା ରହିଛି ଅନ୍ନଚୁଲି (ଏକଶହରୁ ଊର୍ଦ୍ଧ୍ୱ), ଯେଉଁଥିରେ ଅନ୍ନ, ଖେଚୁଡ଼ି, କାନିକା ପ୍ରଭୃତି ରନ୍ଧାଯାଏ। ପ୍ରତି ଅନ୍ନଚୁଲିରେ ଏକାଥରକେ ୯ଟି ଅନ୍ନହାଣ୍ଡି ବସି ରନ୍ଧାଯାଏ। ଡାଲି, ତରକାରି, ଶାଗ, ବେସର, ମହୁର, ଖଟା ପ୍ରଭୃତି ରନ୍ଧା ଯାଉଥିବା ଅହିଆଚୁଲିର ସଂଖ୍ୟା ପ୍ରାୟ ଏକଶତ ଏବଂ ପିଠା ପ୍ରସ୍ତୁତ କରିବା ପାଇଁ ରହିଛି ୧୦ଟି ପିଠା ଚୁଲି। କାଠ ହିଁ ମନ୍ଦିର ରୋଷଶାଳାର ଏକମାତ୍ର ଇନ୍ଧନ। କୋଇଲା, ଗ୍ୟାସ୍ ବା ବିଦ୍ୟୁତ୍ ଶକ୍ତି ରନ୍ଧାଶାଳାରେ ଗ୍ରହଣୀୟ ନୁହେଁ। ରୋଷଘରର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀଙ୍କର ଗୋଟିଏ ପଥର ମୂର୍ତ୍ତି ମଧ୍ୟ ରହିଛି ରୋଷଶାଳା ରାସ୍ତାରେ। ରୋଷଘର ଦ୍ୱାରରେ ପୁଣି ରୋଷଗଣେଶଙ୍କର ଆସ୍ଥାନ। ସୁଆରମାନେ ତାଙ୍କ ସେବାରେ ନିୟୋଜିତ। କୋଠଭୋଗ ରୋଷରେ ଶ୍ରୀମନ୍ଦିରର କୋଠଭୋଗ ରନ୍ଧାଯାଏ। କୋଠଭୋଗ ପାଇଁ ଏକ ‘ସରଘର’ ରହିଛି, ଯେଉଁଠାରେ କି କୋଠଭୋଗ ‘ଅମୁଣିଆ’ (ଅର୍ଥାତ୍ ତିଆରି ହୋଇଥିବା ମାତ୍ର ଭୋଗ ଲାଗି ନ ଥିବା) ରଖାଯାଏ।
ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ଉତ୍କଳୀୟ ଭାସ୍କର୍ଯ୍ୟ ତଥା କଳା ନୈପୁଣ୍ୟର ଏକ ଅନବଦ୍ୟ କୃତି। ରହସ୍ୟମୟ ଶ୍ରୀଜଗନ୍ନାଥଙ୍କ ରୀତି, ନୀତି, ବେଶ, ଭୋଗ, ଯାନିଯାତ୍ରା ସବୁଥରେ ଏକ ସ୍ବାତନ୍ତ୍ର୍ୟ ରହିଅଛି। ସମଗ୍ର ଭାରତବର୍ଷରେ ଏପରି କୌଣସି ନୀତିବହୁଳ ମନ୍ଦିର ନାହିଁ, ଯାହାକି ଶ୍ରୀମନ୍ଦିର ସହିତ ତୁଳନୀୟ ହୋଇପାରିବ। ଶ୍ରୀଜୀଉଙ୍କ ରାଜଭୋଗ ବା କୋଠଭୋଗର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥାଏ। ଦୈନନ୍ଦିନ କୋଠ ଭୋଗ ସାମଗ୍ରୀ ମଧ୍ୟରେ ଥାଳି ଚାଉଳ-୫୮ କି.ଗ୍ରା. ୮୪୦ ଗ୍ରାମ୍, ଚୂନା ଚାଉଳ-୨୯ କି.ଗ୍ରା. ୬୫୦ଗ୍ରାମ୍, ମୁଗ-୭ କି.ଗ୍ରା. ୨୫୦ ଗ୍ରାମ୍, ଖିସ୍ମିସ୍ – ୫୦ଗ୍ରାମ୍, ବିରି-୧୮କି.ଗ୍ରା, ଓମ୍ଫେଡ୍ ଘିଅ – ୨୯ କି.ଗ୍ରା. ୯୦୬ଗ୍ରାମ୍, ଗୁଡ଼ – ୨୮ କି.ଗ୍ରା. ୭୯୨ ଗ୍ରାମ୍, ଚିନି – ୨୦ କି.ଗ୍ରା. ୯୬୨ ଗ୍ରାମ୍, ଅଟା – ୨୫ କି.ଗ୍ରା, ସୁଜି-୬୦୦ ଗ୍ରାମ୍, ବେସନ – ୩୦୦ଗ୍ରାମ୍, ଜୀରା – ୧୫୦ ଗ୍ରାମ୍, ମରିଚ-୭୫ ଗ୍ରାମ୍, ଅଳେଇଚ – ୧୧୫ ଗ୍ରାମ୍, ଲୁଣ – ୨ କି.ଗ୍ରା. ୫୦୦ ଗ୍ରାମ୍, ରାଶିତେଲ – ୫୦ ଗ୍ରାମ୍, ହଳଦୀ- ୫୦ ଗ୍ରାମ୍, ମଧୁରୀ – ୭୫ ଗ୍ରାମ୍, ହରଡ଼ଡାଲି – ୧କି.ଗ୍ରା., ଡାଳଚିନି – ୫୦ ଗ୍ରାମ୍, ଲବଙ୍ଗ – ୧୦ଗ୍ରାମ୍, ହେଙ୍ଗୁ – ୧୦ ଗ୍ରାମ୍, ଜାଇଫଳ – ୧୨ ଗ୍ରାମ୍, ଲିଆ – ୫ ଗଉଣି ବା ୨ କି.ଗ୍ରା., ନଡ଼ିଆ (ବଲ୍ଲଭ ନିମନ୍ତେ) – ୧୨ଟା, କୋଠଭୋଗ (ନଡ଼ିଆ) – ୪ଟା, ପରିବା ମଧ୍ୟରେ କଖାରୁ – ୨ କି.ଗ୍ରା. ୫୦୦ ଗ୍ରାମ୍, ବାଇଗଣ – ୨ କି.ଗ୍ରା., ପୋଟଳ – ୨୫୦ ଗ୍ରାମ୍, ଅଦା – ୩୦୦ ଗ୍ରାମ୍, ଦେଶୀଆଳୁ – ୨୫୦ ଗ୍ରାମ୍, କଦଳୀ- ୧୨ଟା, ଶାଗ – ୨ ବିଡ଼ା, ତେନ୍ତୁଳି – ୧୦୦ ଗ୍ରାମ୍।
ଶ୍ରୀଜୀଉମାନଙ୍କ ଦୈନନ୍ଦିନ କୋଠଭୋଗ ତଥା ବିଭିନ୍ନ ନୀତିରେ ଯେଉଁ ମାଟି ନିର୍ମିତ ପାତ୍ରର ଆବଶ୍ୟକ ହୋଇଥାଏ, ତାହା ହେଲା ଆଳି କୁଡ଼ୁଆ – ୪୦ଟି, ଅଙ୍ଗବାସ ଓଳି – ୧୯୫ଟି, ତାଡ଼-୬ଟି, ଟିପେଇ ହାଣ୍ଡି – ୨୧ଟି, ପାହାନ୍ତି – ୨ଟି, ଅଧା – ୧ଟି, ସାନ ପୁଳି – ୮୧ଟି, ପୁଳିସରା – ୨୪ଟି, ପାଳିସରା – ୬୦ଟି, ବଢ଼ା – ୬୦ଟି, କଟାସରା – ୧୪ଟି, ନମାଳି – ୨୪ଟି। ପ୍ରତ୍ୟହ ତଥା ବିଶେଷ ପର୍ବପର୍ବାଣି ଦିନଗୁଡ଼ିକରେ ଏକ ସ୍ବତନ୍ତ୍ର ଶୈଳୀରେ ମହାସୁଆରମାନଙ୍କ ଦ୍ୱାରା ଅନେକ ପ୍ରକାର ସୁମଷ୍ଟିପିଷ୍ଟକ, ଅନ୍ନ, ବ୍ୟଞ୍ଜନାଦି ପ୍ରସ୍ତୁତ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନୈବେଦ୍ୟ ହେଉଅଛି, ଯାହାକି ଦୀର୍ଘ ଶହ ଶହ ବର୍ଷର ପରମ୍ପରାକୁ ଉଜ୍ଜୀବିତ କରିଆସୁଅଛି।