କିଚେନ ଗାର୍ଡେନ ଡେ’

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ଆଜି ଓ୍ବାର୍ଲଡ କିଚେନ ଗାର୍ଡେନ ଡେ’। ପ୍ରତିବର୍ଷ ଅଗଷ୍ଟ ଶେଷ ରବିବାର ଏହି ଦିବସ ଭାବେ ପାଳନ କରାଯାଏ। ଆଜିକାଲିର ଫ୍ୟାଶନ ଯୁଗରେ ଗାର୍ଡେନ କରିବା ଏକ ସଉକ ପାଲଟିଲାଣି। ସହରରେ ଏହି କିଚେନ ଗାର୍ଡେନ ବହୁଳଭାବେ ଦେଖିବାକୁ ମିଳୁଛି। ଛାତ ଉପରେ ନିଆରା ପ୍ରଣାଳୀରେ ବିଭିନ୍ନ ପ୍ରକାର ପନିପରିବାଠାରୁ ଆରମ୍ଭକରି ଫଳ ପର୍ଯ୍ୟନ୍ତ ଗଛ ଲଗାଉଛନ୍ତି ଲୋକେ। କୋଠାଘରର କଙ୍କ୍ରିଟ୍‌ ଛାତକୁ କିଚେନ ଗାର୍ଡେନରେ ପରିଣତ କରିବା ଏବେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ମଧ୍ୟ ସୃଷ୍ଟି କରୁଛି। କିଏ କେତେ ଅଧିକ ପ୍ରକାରର ଗଛ ଏବଂ ସୁସ୍ଥ ଗଛ କରିପାରିବ ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ପୂର୍ବରୁ କେବଳ ଫୁଲଗଛ ଲଗାଉଥିବା ଲୋକେ ଏବେ ପନିପରିବା ଗଛ ଲଗାଇବାକୁ ବି ପସନ୍ଦ କଲେଣି। କେବଳ ପନିପରିବା ନୁହେଁ ଫଳ, ଔଷଧୀୟ ଗଛ ମଧ୍ୟ ଲଗାଉଛନ୍ତି। ରାସାୟନିକ ସାର ବଦଳରେ ହାତତିଆରି ଖତ ବ୍ୟବହାର କରୁଛନ୍ତି। ଗୋବର, ଗାଈମୂତ୍ର ଏବଂ ଗୁଡ଼ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରୁଛନ୍ତି, ଯାହାକୁ ବ୍ୟବହାର କଲେ ଗଛ ସୁସ୍ଥ ରହିବ ବୋଲି ଲୋକେ କହୁଛନ୍ତି। ରାଜଧାନୀରେ ଚାକିରି କରୁଥିବା ଲୋକଟିଏ ମଧ୍ୟ ନିଜ କର୍ମମୟ ଜୀବନରୁ ସମୟ କାଢ଼ି ଏବେ ରୁଫ୍‌ଟପ୍‌ ଗାର୍ଡେନ କରିବା ପାଇଁ ଆଗେଇ ଆସୁଛି। କାରଣ ଏବେ ଲୋକେ ବୁଝିଲେଣି ଯେ ବଜାରରେ ମିଳୁଥିବା ପନିପରିବାଠାରୁ ଆରମ୍ଭକରି ଫଳ ପର୍ଯ୍ୟନ୍ତ ସବୁଥିରେ ରାସାୟନିକ ସାର ବ୍ୟବହାର କରାଯାଉଛି, ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ନିଜେ ଲଗାଇଥିବା ଗଛରୁ ପନିପରିବା ଖାଇଲେ ସୁସ୍ଥ ରହିପାରିବା ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରର ରଶ୍ମିରେଖା ସାହୁ କହିଛନ୍ତି, ମୁଁ ଏବଂ ମୋ ସ୍ବାମୀ ପ୍ରଥମେ ପ୍ରଥମେ ବିଭିନ୍ନ ପ୍ରକାର ଫୁଲଗଛ ଲଗାଉଥିଲୁ। ଯେତେବେଳେ ସେଥିରେ ଆମେ ସଫଳ ହେଲୁ ଧୀରେ ଧୀରେ ପନିପରିବା ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କଲୁ। ଛାତ ଉପରେ ବାଇଗଣ, ଲେମ୍ବୁ, ଲଙ୍କା, ଭେଣ୍ଡି, ଶାଗ ଭଳି ପରିବା ଲଗାଇବା ସହିତ ବାରମାସୀ ଆମ୍ବଗଛ ମଧ୍ୟ ଲଗାଉଛୁ। ଏବେ ଷ୍ଟ୍ରବେରି ଗଛ ଲଗାଇଛୁ, ଯେଉଁଥିରେ ଏକାଥରକେ ୫ଟି ଫଳ ଧରୁଛି। ଆଉ ଛାତ ଉପରୁ ନିଜେ ତୋଳିଆଣି ଖାଇବାର ଖୁସି ମଧ୍ୟ ଅଲଗା।

Share