ଅଭିନେତ୍ରୀଙ୍କୁ ୩ ବର୍ଷ ପାଇଁ ବ୍ୟାନ୍‌ କଲା ମଣିପୁରର ଏକ ସଂଗଠନ

ଇମ୍ଫାଲ,୨୦।୯: ଇମ୍ଫାଲର ଏକ ସଂଗଠନ ଲୋକପ୍ରିୟ ମଣିପୁରୀ ଚଳଚ୍ଚିତ୍ର ତାରକା ସୋମା ଲାଇଶ୍ରମଙ୍କୁ ତିନି ବର୍ଷ ପାଇଁ ଚଳଚ୍ଚିତ୍ରରେ କାମ କରିବା ଏବଂ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଇଛି। କୁହାଯାଉଛି, ଯେ ପର୍ଯ୍ୟନ୍ତ ମଣିପୁରରେ ହିଂସା କମିନାହିଁ ସେ ଯାଏ ଅନେକ ସେଲିବ୍ରିଟିଙ୍କୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବାକୁ ଏହି ସଂଗଠନ ନିବେଦନ କରିଥିଲା। କିନ୍ତୁ ସୋମା ତାଙ୍କ କଥା ଶୁଣି ନ ଥିଲେ, ଯେଉଁଥିପାଇଁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।

କଙ୍ଗଲେଇପାକ କନବା ଲୁପ (କେକେଏଲ) ଗୋଷ୍ଠୀ କହିଛନ୍ତି , ମଣିପୁରରେ ଚାଲିଥିବା ଜାତିଗତ ବିବାଦକୁ ଦୃଷ୍ଟିରେ ରଖି ଅଭିନେତାମାନଙ୍କୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କୁହାଯାଇଥିଲା। ହେଲେ ଅଭିନେତ୍ରୀ ସୋମା
ସେପ୍ଟେମ୍ବର ୧୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଉଟି ପ୍ରୋଜେକ୍ଟରେ ସାମିଲ ହୋଇଥିଲେ। ଯାହା ପରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସମୟରେ ରାଜ୍ୟର ସମସ୍ତ ଚଳଚ୍ଚିତ୍ର ସଂସ୍ଥାର ଏକ ସଂଗଠନ ଫିଲ୍ମ ଫୋରମ ମଣିପୁର (ଏଫଏମଏମ) ଅଭିନେତ୍ରୀ ସୋମାଙ୍କ ଉପରେ ଲାଗୁ କରାଯାଇଥିବା କେକେଏଲ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରି କହିଛି ଯେ, ଏହି ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ ସେ ଚେଷ୍ଟା କରିବ।

Share