
ନୂଆଦିଲ୍ଲୀ,୨୨।୩: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ ଇତିହାସର ପ୍ରଥମ ମ୍ୟାଚରେ ମୁହଁାମୁହିଁ ହୋଇଥିଲେ। ୧୭ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ସିଜନର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବର୍ଷ ବର୍ଷ ଧରି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା କିଛି ରୋଚକ ମ୍ୟାଚ୍କୁ ନେଇ ପ୍ରସ୍ତୁତ ରିପୋର୍ଟ…
୨୦୦୮, ମ୍ୟାଚ୍ ନଂ-୧, ବେଙ୍ଗାଲୁରୁ
ଆଇପିଏଲ୍କୁ ଏହାଠାରୁ ଭଲ ଆରମ୍ଭ ମିଳିପାରି ନ ଥାନ୍ତା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ବ୍ରେଣ୍ଡନ ମ୍ୟାକଲମ ୭୩ ବଲରେ ୧୫୮ ରନର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ବିସ୍ଫୋରକ ଇନିଂସ ଯୋଗୁ କେକେଆର୍ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୨୨ ରନ କରିଥିଲା। ଜବାବରେ ଆର୍ସିବି ୮୨ ରନରେ ଅଲଆଉଟ୍ ହୋଇଯାଇଥିଲା।
୨୦୦୯, ମ୍ୟାଚ ନଂ-୪୧, ସେଞ୍ଚୁରିଅନ
ମ୍ୟାକଲମଙ୍କ ଅପରାଜିତ ୮୪ ରନର ଇନିଂସ ବଳରେ କେକେଆର୍ ପ୍ରତିପକ୍ଷ ଆରସିବି ଆଗରେ ୧୭୪ ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ଜବାବରେ ୧୧ ଓଭର ଶେଷ ସୁଦ୍ଧା ଆର୍ସିବି ୩ ଉଇକେଟ ହରାଇ ୭୪ ରନ କରିଥିଲା। ଦଳକୁ ଅନ୍ତିମ ୯ ଓଭରରେ ୧୦୦ ରନ ଦରକାର ଥିବା ବେଳେ ରସ ଟେଲର ୩୩ ବଲରେ ବିସ୍ଫୋରକ ୮୧ ରନର ଇନିଂସ ଖେଳିଥିଲେ। ଫଳରେ ଆର୍ସିବି ୪ ବଲ ପୂର୍ବରୁ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା।
୨୦୧୩, ମ୍ୟାଚ ନଂ-୧୨, ବେଙ୍ଗାଲୁରୁ
କ୍ରିସ୍ ଗେଲ୍ଙ୍କ ଅପରାଜିତ ୮୫ ରନର ଇନିଂସ ଯୋଗୁ ଆର୍ସିବି ସହଜରେ ୧୫୫ ରନର ଟାର୍ଗେଟକୁ ହାସଲ କରି ନେଇଥିଲେ। ହେଲେ ଏହି ମ୍ୟାଚ ବେଳେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ଗୌତମ ଗମ୍ଭୀର ପଡ଼ିଆରେ ମୁହଁାମହିଁ ହୋଇଥିଲେ। କୋହଲି ଡିପ ପଏଣ୍ଟରେ କ୍ୟାଚ ଆଉଟ ହେବା ପରେ ଗମ୍ଭୀର ଖୁବ୍ ଉତ୍ସାହିତ ହୋଇଯାଇଥିଲେ। ଏହାକୁ ନେଇ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୂର୍ବତନ ଦିଲ୍ଲୀ ଖେଳାଳି ରଜତ ଭାଟିଆଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
୨୦୧୬, ମ୍ୟାଚ ନଂ-୩୦, ବେଙ୍ଗାଲୁରୁ
ଆର୍ସିବି ପ୍ରଦତ୍ତ ୧୮୫ ରନର ଟାର୍ଗେଟ ଆଗରେ କେକେଆର୍ ୧୩ ଓଭର ଶେଷ ସୁଦ୍ଧା ୪ ଉଇକେଟ ହରାଇ ୯୨ ରନ କରିଥିଲା। ମ୍ୟାଚ ଜିତିବା ପାଇଁ ଅନ୍ତିମ ୭ ଓଭରରେ ୯୩ ରନ ଦରକାର ଥିବାବେଳେ ଆନ୍ଦ୍ରେ ରସେଲ ଓ ୟୁସୁଫ ପଠାନଙ୍କ ଯୋଡ଼ି ମ୍ୟାଚର ଭାଗ୍ୟ ବଦଳାଇ ଦେଇଥିଲା। ୟୁସୁଫ ୨୯ ବଲରେ ୬୦ ରନ କରି କେକେଆର୍କୁ ଏହି ରୋମାଞ୍ଚକ ବିଜୟ ଆଣି ଦେଇଥିଲେ।
୨୦୧୭, ମ୍ୟାଚ ନଂ-୨୭, କୋଲ୍କାତା
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଯାହା ଘଟିଗଲା, ତାହା ଇତିହାସରେ ଲିପିବଦ୍ଧ ହୋଇରହିଛି। ତାରକା ଖଚିତ ଆର୍ସିବି ୪୯ ରନରେ ଅଲଆଉଟ୍ ହୋଇଯାଇଥିଲା, ଯାହା କି ଆଇପିଏଲ୍ ଇତିହାସରେ ସର୍ବନିମ୍ନ ଦଳଗତ ସ୍କୋର।
୨୦୧୯, ମ୍ୟାଚ-୧୭, ବେଙ୍ଗାଲୁରୁ
ଲଗାତର ୪ ମ୍ୟାଚରେ ପରାଜିତ ହୋଇଥିବା ଆର୍ସିବି ପ୍ରତିପକ୍ଷ କେକେଆର୍ ଆଗରେ ୨୦୬ ରନର ବିଶାଳ ଟାର୍ଗେଟ ରଖିଥିଲା। ଅନ୍ତିମ ୪ ଓଭରରେ କେକେଆର୍କୁ ଜିତିବା ପାଇଁ ୬୬ ରନ ଦରକାର ଥିଲା। ଆନ୍ଦ୍ରେ ରସେଲଙ୍କ ୧୩ ବଲରେ ଅପରାଜିତ ୪୮ ରନର ପାଳି ଯୋଗୁ କେକେଆର୍ ୫ ବଲ ପୂର୍ବରୁ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।
୨୦୨୪, ମ୍ୟାଚ ନଂ-୩୬, କୋଲ୍କାତା
ମିଚେଲ ଷ୍ଟାର୍କଙ୍କୁ ଅନ୍ତିମ ଓଭରରେ ୨୦ ରନର ଡିଫେଣ୍ଡ କରିବାକୁ ଥିବାବେଳେ ତାଙ୍କ ସାମ୍ନାରେ କର୍ନ ଶର୍ମା ଥିଲେ। ପ୍ରଥମ ୪ ବଲରେ ୩ ଛକା ମାରିବା ପରେ ପଞ୍ଚମ ବଲରେ ଦୁଇ ରନ ନେବାକୁ ଯାଇ କର୍ନ ରନଆଉଟ୍ ହୋଇଥିଲେ। ଫଳରେ କେକେଆର୍ ୧ ରନର ରୋମାଞ୍ଚକ ବିଜୟ ହାସଲ କରିଥିଲା।