ଶାରଜା,୨୮।୯: ଶାରଜା ଷ୍ଟାଡିୟମରେ ମଙ୍ଗଳବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୧୨୭ ରନ୍ରେ ରୋକି ଦେଇଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଦଳୀୟ ବୋଲରଙ୍କ କାରଣରୁ ଏହା ସଫଳ ହୋଇପାରିଛି। ଲୋକି ଫର୍ଗୁସନ, ଭେଙ୍କଟେଶ ଆୟାର ଓ ସୁନିଲ ନାରିନ ୨ ଲେଖାଏ ଉଇକେଟ ନେଇଥିଲେ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭ ରନ୍ କରିଛି। ଦଳ ପାଇଁ ଷ୍ଟିଭ ସ୍ମିଥ (୩୯), ଅଧିନାୟକ ରିଷଭ ପନ୍ତ (୩୯), ଶିଖର ଧାଓ୍ବନ (୨୪)ଙ୍କୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ କେହି ବଡ଼ ଇନିଂସ ଖେଳିପାରି ନ ଥିଲେ। ଦିଲ୍ଲୀର କୌଣସି ବ୍ୟାଟ୍ସମ୍ୟାନ ଗୋଟିଏ ହେଲେ ଛକା ମାରିପାରି ନ ଥିଲେ।