କୋଲକାତା,୨।୧୨(ପି.ଟି.): ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଗ୍ରୁପ୍ ଆମେରିକାର ମେଜର ଲିଗ୍ କ୍ରିକେଟରେ ନିବେଶ କରିବ। ମେଜର ଲିଗ୍ କ୍ରିକେଟର ଉନ୍ନତି ପାଇଁ ମଙ୍ଗଳବାର କେକେଆର ଗ୍ରୁପ୍ ଏହି ମଲ୍ଟି- ମିଲିୟନ ଡଲାର ଟି୨୦ ଲିଗ୍ରେ ଅର୍ଥ ନିବେଶ କରିବ ବୋଲି ଘୋଷଣା କରିଛି। ଆମେରିକାରେ କ୍ରିକେଟର ଉନ୍ନତି ପାଇଁ ନାଇଟ୍ ରାଇଡର୍ସ ଆମେରିକାନ କ୍ରିକେଟ ଏଣ୍ଟରପ୍ରାଇଜର୍ସ (ଏସିଇ) ସହିତ ହାତ ମିଳାଇଛି। ଗତକେତେ ବର୍ଷ ହେବ ନାଇଟ୍ ରାଇଡର୍ସର ବ୍ରାଣ୍ଡକୁ ଆମେ ସାରା ବିଶ୍ୱରେ ପ୍ରସାର କରିଆସିଛୁ ଓ ଆମେରିକାରେ ଟି୨୦ କ୍ରିକେଟର ଲୋକପ୍ରିୟତାକୁ ପାଖରୁ ନିରୀକ୍ଷଣ କରିଛୁ ବୋଲି କେକେଆର ଗ୍ରୁପ୍ର ମୁଖ୍ୟ ମାଲିକ ଶାହରୁଖ କହିଛନ୍ତି। ମେଜର ଲିଗ୍ କ୍ରିକେଟ ଆଗକୁ ଆହୁରି ସଫଳତା ହାସଲ କରିବ ଓ ଆମେରିକାରେ କ୍ରିକେଟର ପ୍ରଚାର ଓ ପ୍ରସାରରେ ସହାୟକ ହେବ ବୋଲି ସେ କହିଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଢ଼ାଞ୍ଚାରେ ଖେଳାଯିବାକୁ ଥିବା ଏହି ଟି୨ ଲିଗ୍ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶରୁ ଅଧିକ ସଂଖ୍ୟାରେ ଖେଳାଳି ଅଂଶଗ୍ରହଣ କରିବେ। ଶାହରୁଖଙ୍କୁ ବାଦ୍ ଦେଲେ ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ବଲା ଓ ତାଙ୍କ ବ୍ୟବସାୟୀ ସ୍ବାମୀ ଜୟ ମେହେଟ୍ଟା କେକେଆର ଗ୍ରୁପ୍ର ଅନ୍ୟତମ ମାଲିକ ରହିଛନ୍ତି। କେକେଆର ଗ୍ରୁପ୍ ସହିତ କାର୍ଯ୍ୟ କରିବାକୁ ଆମେ ବେଶ ଉତ୍ସାହିତ ଅଛୁ ବୋଲି ଏସିଇ ଓ ମେଜର କ୍ରିକେଟ ଲିଗ୍ର ଅଧିକାରୀ ସମୀର ମେହେଟ୍ଟା ଓ ବିଜୟ ଶ୍ରୀନିବାସନ କହିଛନ୍ତି।