Categories: ଖେଳ

କୋଲକାତାର ଚତୁର୍ଥ ବିଜୟ

ହାଇଦ୍ରାବାଦ,୫ା୫: ଶେଷ ଓଭରରେ ବରୁନ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏହାର ୪ର୍ଥ ବିଜୟ ହାସଲ କରିଛି। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲର ୪୭ ତମ ମ୍ୟାଚରେ କେକେଆର ୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ୧୦ମ ମ୍ୟାଚରୁ ୪ର୍ଥ ବିଜୟ ସହ ୮ ପଏଣ୍ଟ ଅର୍ଜନ କରିଛି। ଟସ୍‌ ଜତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୨୦ ଓଭରରେ ୮ ଉଇକେଟରେ ୧୭୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୮ ଉଇକେଟ ହରାଇ ୧୬୬ ରନ୍‌ରେ ସୀମିତ ରହିଥିଲା।
ମାର୍କୋ ଜାନ୍‌ସେନ୍‌ଙ୍କ ଘାତକ ବୋଲିଂ ବଳରେ କେକେଆର ୩୫ ରନ୍‌ରେ ୩ ଉଇକେଟ ହରାଇଥିଲା। ନୀତିଶ ରାଣା(୪୨) ଓ ରିଙ୍କୁ ସିଂ(୪୬) ଚତୁର୍ଥ ଉଇକେଟରେ ୬୧ ରନ୍‌ ଯୋଡିଥିଲେ। ଆନ୍ଦ୍ରେ ରସେଲ୍‌ ୧୫ ବଲ୍‌ରୁ ୨୪ ରନ୍‌ କରିଥିଲେ। ଟପ୍‌ ସ୍କୋରର ରହିଥିବା ରିଙ୍କୁ ୩୫ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ। ସନରାଇଜର୍ସ ପକ୍ଷରୁ ମାର୍କୋ ଜାନସେନ୍‌ ଓ ଟି ନଟରାଜନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୭୨ ରନ୍‌ର ପିଛା କରୁଥିବା ହାଇଦ୍ରାବାଦ ୫୪ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ଏଡେନ୍‌ ମାରକ୍ରମ ୪୧ ଓ ହେନ୍‌ରିଚ୍‌ କ୍ଲାସେନ୍‌ ୩୬ ପଞ୍ଚମ ଉଇକେଟରେ ୭୦ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ମାତ୍ର ଦୁଇ ଓଭର ବ୍ୟବଧାନରେ ଆଉଟ ହେବା ସହ ସନରାଇଜର୍ସ ସଙ୍କଟରେ ପଡିଥିଲା। ତେବେ ଅବଦୁଲ୍‌ ସମଦ ୨୧ ରନ୍‌ କରି ଦଳକୁ ବିଜୟର ନିକଟତର କରିଥିଲେ। ଅନ୍ତିମ ଓଭରରେ ୯ ରନ୍‌ ଆବଶ୍ୟକ ଥିବା ବେଳେ ବରୁନ୍‌ ମାତ୍ର ୩ ରନ୍‌ ଦେଇଥିଲେ। କେକେଆର ପକ୍ଷରୁ ବୈଭବ ଅରୋରା ଓ ଶାର୍ଦ୍ଦୂଳ ଠାକୁର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୧/୮(ରିଙ୍କୁ ସିଂ-୪୬, ନୀତିଶ ରାଣା-୪୨, ଆନ୍ଦ୍ରେ ରସେଲ-୨୪, ମାର୍କୋ ଜାନସେନ୍‌-୨/୨୪, ଟି ନଟରାଜନ-୨/୩୦, ଏଡେନ୍‌ ମାରକ୍ରମ-୧/୨୪)। ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୬/୮(ଏଡେନ୍‌ ମାରକ୍ରମ-୪୧, ହେନରିଚ୍‌ କ୍ଲାସେନ୍‌-୩୬, ଅବଦୁଲ ସମଦ-୨୧, ବୈଭବ ଅରୋରା-୨/୩୨, ଶାର୍ଦ୍ଦୂଳ ଠାକୁର-୨/୨୩, ଆନ୍ଦ୍ରେ ରସେଲ୍‌-୧/୧୫)।

Share