ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦଳ ଖରାପ ପ୍ରଦର୍ଶନ ଜାରି ରଖି କ୍ରମାଗତ ୫ମ ପରାଜୟ ବରଣ କରିଛି। ଆହତ ଋତୁରାଜ ଗାଏକ୍ୱାଡ୍ଙ୍କ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଦାୟିତ୍ୱକୁ ଫେରିଥିଲେ ମଧ୍ୟ ଚେନ୍ନାଇ ନିଜ ଘରୋଇ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅତି ଦୟନୀୟ ପ୍ରଦର୍ଶନ କରିଛି। ସୁନୀଲ ନାରିନଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ୮ ଉଇକେଟରେ ଚେନ୍ନାଇକୁ ପରାସ୍ତ କରିଛି। ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୦୩ ରନ କରିଥିଲା। କୋଲକାତା ମାତ୍ର ୧୦.୧ ଓଭରରେ ୨ ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିବା ସହ ନିଜ ରନ୍ ହାରରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ସୁନୀଲ ମାତ୍ର ୧୮ ବଲ୍ରୁ ସର୍ବାଧିକ ୪୪ ରନ କରିଥିବାବେଳେ କ୍ୱିଣ୍ଟନ ଡିକକ୍ ୨୩ ରନ ସ୍କୋର କରିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାନେ ୨୦ ଓ ରିଙ୍କୁ ସିଂ ୧୫ ରନରେ ଅପରାଜିତ ରହିଥିଲେ। ୫ ମ୍ୟାଚରୁ ତୃତୀୟ ବିଜୟ ସହ କୋଲକାତା ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ କୋଲକାତା ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେ। ଟପ୍ରୁ ଆରମ୍ଭ କରି ମିଡିଲ ଅର୍ଡର ଓ ଲୋୟର ଅର୍ଡରରେ କୌଣସି ଚେନ୍ନାଇ ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନ ଥିଲେ। କୋଲକାତା ବୋଲରଙ୍କ ମଧ୍ୟରେ ଚମତ୍କାର ବୋଲିଂ କରିଥିଲେ ସୁନୀଲ ନାରିନ। ସେ ନିଜ ୪ ଓଭର ସ୍ପେଲ୍ରେ ମାତ୍ର ୧୩ ରନ ଦେଇ ୩ଟି ମୂଲ୍ୟବାନ ଉଇକେଟ ଅକ୍ତିଆର କରିଥିଲେ। ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା ୨ଟି ଲେଖାଏ ଏବଂ ବୈଭବ ଆରୋରା ଓ ମୋଇନ ଅଲୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।