ଲଡର୍ସ, ୧୨।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଓପନର ଲୋକେଶ ରାହୁଲ ଖେଳିଛନ୍ତି ଶତକୀୟ ପାଳି। କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍ସର ହନର୍ସ ବୋର୍ଡରେ ସ୍ଥାନ ପାଇଛନ୍ତି ରାହୁଲ। ଲଡର୍ସରେ ଶତକ ହାସଲ କରିବାରେ ସେ ଭାରତର ୧୦ମ ବ୍ୟାଟ୍ସମ୍ୟାନ। ଏଥିପୂର୍ବରୁ ଅନ୍ତିମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଅଜିଙ୍କ୍ୟ ରାହାନେ ୨୦୧୪ରେ ଶତକ ଲଗାଇଥିଲେ। ଏହାବାଦ୍ ବିନୁ ମଙ୍କଡ (୧୯୫୨) ଓ ରବି ଶାସ୍ତ୍ରୀ (୧୯୯୦)ଙ୍କ ପରେ ତୃତୀୟ ଭାରତୀୟ ଓପନର ଭାବେ ରାହୁଲ ଏହି ସଫଳତା ପାଇଛନ୍ତି।
ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ରାହୁଲ ସାଥି ଓପନର ରୋହିତ ଶର୍ମା (୮୩) ଆଉଟ୍ ହେବା ପରେ ରଙ୍ଗ ବଦଳିଥିଲେ। ୨୧୨ ତମ ବଲରେ ହାସଲ କରିଥିଲେ ଶତକ। ତାଙ୍କ ପାଳିରେ ସାମିଲ ଥିଲା ୯ ଚୌକା ଓ ୧ ଛକା।