ସଚିନଙ୍କ ୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରାହୁଲ

ଦୁବାଇ, ୨୪।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌-୧୩ର ୬ଷ୍ଠ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚ୍‌ରେ ରାହୁଲଙ୍କ (୧୩୨ ରନ, ୬୯ ବଲ୍‌) ଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ୍‌ ହରାଇ ୨୦୬ ରନ୍‌ ସଂଗ୍ରହ କରିଥିଲା। ଏହି ଶତକୀୟ ଇନିଂସ ଅବସରରେ ରାହୁଲ ଆଇପିଏଲ୍‌ରେ ୨ ହଜାର ରନ୍‌ ପୂରଣ କରିଛନ୍ତି। ଏଥିସହ ଆଇପିଏଲ୍‌ରେ ୨ ହଜାର ରନ୍‌ ପୂରଣ କରିବାରେ ସେ ଦ୍ରୁତତ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହିକ୍ରମରେ ସେ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୮ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ୨ ହଜାର ରନ୍‌ ପୂରଣ କରିବାକୁ ସଚିନ ୬୩ ଇନିଂସର ସହାୟତା ନେଇଥିଲେ। ରାହୁଲ ୬୦ ଇନିଂସ ସହାୟତାରେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ଅପରପକ୍ଷରେ ଓଭରଅଲ୍‌ ଆଇପିଏଲ୍‌ରେ ଦ୍ରୁତତ୍ତମ ବ୍ୟାଟ୍ସମ୍ୟାନ ଭାବେ ୨ ହଜାର ରନ ପୂରଣ କରିବାର ରେକର୍ଡ କ୍ରିସ୍‌ ଗେଲ୍‌ (୪୮ ଇନିଂସ)ଙ୍କ ନାମରେ ଲିପିବଦ୍ଧ ରହିଛି।

Share