ଅହମ୍ମଦାବାଦ,୨।୫ : ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଯିବ। ଏହି କାରଣରୁ ତାଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଅତିକମ୍ରେ ଗୋଟେ ସପ୍ତାହ ପାଇଁ ସେ ଆଇପିଏଲରୁ ଦୂରେଇ ରହିବେ। ତାଙ୍କ ଅନୁପସ୍ଥିତିରେ ପଞ୍ଜାବର ନେତୃତ୍ୱ ଭାର ସମ୍ଭାଳୁଛନ୍ତି ମୟଙ୍କ ଅଗ୍ରାଓ୍ବାଲ।
ଗତ ଶନିବାର ରାତିରେ ତଳି ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ ରାହୁଲ। ଔଷଧ ନେବା ପରେ ମଧ୍ୟ କମ୍ ହୋଇ ନ ଥିଲା ଯନ୍ତ୍ରଣା। ତାଙ୍କୁ ଜରୁରୀକାଳିନ ରୁମ୍କୁ ନିଆଯାଇ ବିଭିନ୍ନ ଟେଷ୍ଟ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା ତାଙ୍କୁ ତୁରନ୍ତ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର ଦରକାର। ଏଥିନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।
ମୁମ୍ବାଇ ସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ରାହୁଲଙ୍କ ଅସ୍ତ୍ରୋପଚାର କରାଯିବ। ସେ ଗୋଟେ ସପ୍ତାହ କିମ୍ବା ୧୦ ଦିନ ମଧ୍ୟରେ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି।