ମୁମ୍ବାଇ,୨୯।୯: ବର୍ତ୍ତମାନ ପ୍ରତ୍ୟେକ ଫର୍ମାଟରେ ନିଜ ସ୍ଥାନ ପକ୍କା ସାରିଥିବା ଲୋକେଶ ରାହୁଲ ଓ ରିଷଭ ପନ୍ତ ଭବିଷ୍ୟତରେ ଟିମ୍ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲାଗି ସେମାନଙ୍କୁ ଏବେ ଠୁ ପ୍ରସ୍ତୁତ କରାଯିବ ଉଚିତ୍। ଏଣୁ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଉଭୟଙ୍କୁ ଶର୍ଟ ଫର୍ମାଟରେ ଉପ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇପାରେ। ଏଭଳି ମତ ରଖିଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସୁନିଲ ଗାଭାସ୍କର।
‘‘ମୋ ମତରେ ରୋହିତଙ୍କୁ ଆଗାମୀ ଦୁଇଟି ବିଶ୍ୱକପ୍ ଲାଗି ଅଧିନାୟକ କରାଯିବା ଉଚିତ। କାରଣ ଗୋଟିଏ ବର୍ଷର ବ୍ୟବଧାନରେ ଦୁଇଟି ବିଶ୍ୱକପ୍ ଖେଳାଯିବାର ଅଛି। ଏଭଳି ପରିସ୍ଥିତିରେ ଅଧିକ କ୍ୟାପଟେନ ପରିବର୍ତ୍ତନ କରିବା ଉଚିତ ହେବ ନାହିଁ। ଆଗାମୀ ଦୁଇ ଟି୨୦ ବିଶ୍ୱକପ୍ ପାଇଁ ରୋହିତ ହିଁ ମୋ ପସନ୍ଦ। ତାଙ୍କ ସହ ଲୋକେଶ ରାହୁଲଙ୍କୁ ଉପ ଅଧିନାୟକ କରାଯିବା ଉଚିତ। ତାରକା ଖଚ୍ଚିତ ଦିଲ୍ଲୀ କ୍ୟାପିଟାଲ୍ସକୁ ସମ୍ଭାଳୁଥିବା ରିଭଷ ପନ୍ତ ମଧ୍ୟ ଉପ ଅଧିନାୟକ ପଦ ପାଇଁ ପ୍ରବଳ ଦାବିଦାର। ଦଳକୁ ସ୍ମାର୍ଟ ଅଧିନାୟକ ଦରକାର, ଯିଏକି ପରିସ୍ଥିତିକୁ ପଢ଼ିବା ସହ ତୁରନ୍ତ କାର୍ଯ୍ୟ କରିବ। ଏଣୁ ରାହୁଲ ଓ ପନ୍ତଙ୍କୁ ଉପ ଅଧିନାୟକ କରାଯିବା ଦରକାର” ବୋଲି ୧୯୮୩ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଗାଭାସ୍କର କହିଛନ୍ତି।