Categories: ଖେଳ

କେ ଏଲ୍‌ ନୁହନ୍ତି ଗିଲ ହେବେ ଅଧିନାୟକ? ବିଶ୍ୱକପ୍‌ ପରେ ଏବେ…

ନୂଆଦିଲ୍ଲୀ,୧୬।୭: ଜିମ୍ବାଓ୍ବେରେ ଟି୨୦ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆ ଏବେ ଶ୍ରୀଲଙ୍କା ଗସ୍ତରେ ଯିବ। ସେଠାରେ ଭାରତୀୟ ଟିମ୍‌କୁ ୩ ଦିନିକିଆ ଏବଂ ୩ ଟି୨୦ ମୁକାବିଲା ଖେଳିବାକୁ ହେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏନେଇ ଭାରତୀୟ ଟିମ୍‌ ଘୋଷଣା କରାଯାଇପାରେ। ଏସବୁ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ଟିମ୍‌ର ଅଧିନାୟକତ୍ୱ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ହେଲେ ଦିନିକିଆ ଟିମ୍‌ର ଅଧିନାୟକ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ କେ ଏଲ୍‌ ରାହୁଲ ଅଧିନାୟକ ହେବେ ବୋଲି କୁହାଯାଉଥିଲା ହେଲେ ଏବେ ସେ ଏଥିରୁ ବାଦ୍‌ ପଡ଼ିବେ ବୋଲି କୁହାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲ ଦିନିକଆ ଅଧିନାୟକ ଦୌଡ଼ରେ ଅଛନ୍ତି। ନିକଟରେ ଗିଲ ଜିମ୍ବାଓ୍ବେ ଗସ୍ତରେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଥିଲେ। ଟିମ୍‌ ଇଣ୍ଡିଆ ୪-୧ରେ ସିରିଜ ଜିତିଥିଲା। ତେଣୁ ଏବେ ତାଙ୍କୁ ଦିନିକିଆ ଅଧିନାୟକ କରାଯିବ ବୋଲି କୁହାଯାଉଛି। କାରଣ ମ୍ୟାନେଜମେଣ୍ଟର ନଜର ଭବିଷ୍ୟତ ଉପରେ ରହିଛି। ସେ ତିନି ଫର୍ମାଟରେ ଖେଳୁଥିବା ଖେଳାଳି। ଏଣୁ ତାଙ୍କୁ ରୋହିତଙ୍କ ବିକଳ୍ପ ଭାବେ ବିଚାର କରାଯାଉଥାଇପାରେ। ହେଲେ ବିଧିବଦ୍ଧ ଭାବେ ସେନେଇ କୌଣସି ସୂଚନା ମିଳିନାହିଁ। ଯଦି କେ ଏଲ୍‌ ରାହୁଲ ଅଧିନାୟକ ନ ହୁଅନ୍ତି ତେବେ ତାଙ୍କ ପାଇଁ ଏହା ଖରାପ ଖବର ସାବ୍ୟସ୍ତ ହେବ। ସେ ନିକଟରେ ଟି୨୦ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ମଧ୍ୟ ପଡ଼ିଥିଲେ।

ସେମିତିରେ ବି ଟି୨୦ ଏବଂ ଦିନିକିଆ ଟିମ୍‌ର ଅଧିନାୟକ କିଏ ହେବ ତାହା ଗୌତମ ଗମ୍ଭୀରଙ୍କ ଉପରେ ନିର୍ଭର କରେ। କୋଚ୍‌ ଭାବେ ଶ୍ରୀଲଙ୍କା ସିରିଜ ତାଙ୍କର ପ୍ରଥମ କାମ ହେବ। ଏଠାରୁ ସେ ଆଗାମୀ ୪ ବର୍ଷର ରୋଡମ୍ୟାପ୍‌ ପ୍ରସ୍ତୁତ କରିବେ। ତେବେ ସେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରିତ ବୁମ୍‌ରାଙ୍କୁ ଶ୍ରୀଲଙ୍କା ସ୍କ୍ବାର୍ଡରେ ସାମିଲ କରିବାକୁ ଚାହାନ୍ତି। ଏଣୁ ଏମାନେ ଘୋଷଣା ହେବାକୁ ଥିବା ନାମରେ ରହିବେ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Share