Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୨ରୁ ଆରମ୍ଭ ହେଉଛି । ଏହା ପରେ ଜୁଲାଇ ୨୯ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଦିନିକିଆ ସିରିଜ ପାଇଁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିସହିତ ଅନେକ ଖେଳାଳି ଟି-୨୦ ସିରିଜ ପାଇଁ ଦଳକୁ ଫେରିବେ। ଏଥିରେ ଅଧିନାୟକ ରୋହିତ ଶର୍ମା, ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଅଛନ୍ତି। ଆହତ ହେବା ପରେ କେଏଲ ରାହୁଲ ମଧ୍ୟ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରଥିଲା। କିନ୍ତୁ ଏହା ପୂର୍ବରୁ ତାଙ୍କୁ ଝଟ୍‌କା ଲାଗିଛି। ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।
ରାହୁଲ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଅଭ୍ୟାସ କରୁଥିଲେ। ୱିଣ୍ଡିଜ ଗସ୍ତରେ ଯିବାକୁ ତାଙ୍କୁ ଏନସିଏରେ ଫିଟନେସ ଟେଷ୍ଟ ପାସ କରିବାକୁ ଥିଲା। କିନ୍ତୁ ଏହା ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ତାଙ୍କ ଉପଲବ୍ଧତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ଆଇପିଏଲ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ ରାହୁଲଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ସିରିଜର ଠିକ ପୂର୍ବରୁ ସେ ଆହତ ହୋଇଥିଲେ ଏବଂ ସିରିଜରୁ ବାଦ ପଡିଥିଲେ।

Share