ବାଲିଅନ୍ତା,୨୭ା୮(ଡି.ଏନ୍.ଏ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗ୍ରାମର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଗ୍ରାମର ଲୋକମାନେ ବର୍ଷାଜଳରେ ପଶି ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି। ବର୍ଷାଜଳ ନିଷ୍କାସନ ନ ହୋଇ ଗ୍ରାମ ରାସ୍ତାରେ ଜମି ରହିବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜମି ରହିଥିବା ଦୂଷିତ ପାଣିରେ ପଶି ବାରମ୍ବାର ଯାତାୟାତ କରିବା ଯୋଗୁ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଲୋକେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ କେତେଜଣ ଲୋକଙ୍କ ଗୋଡ଼ କୁଣ୍ଡାଇ ହୋଇ ଫଳିଯାଉଛି। ବର୍ଷାଜଳ ଗ୍ରାମ ରାସ୍ତାରେ ନିଷ୍କାସନ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଇଛି।