ଔପଦା ଡାକ୍ତରଖାନା ପରିସରରେ ଆଣ୍ଠୁଏ ପାଣି

ଔପଦା, ୧୯।୭(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଓପଦା ଡାକ୍ତରଖାନା ପରିସରରୁ ଡ୍ରେନ ନିର୍ମାଣ କାମ ଠିକ୍‌ ଭାବେ ହୋଇ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନ ପାରି ଆଣ୍ଠୁଏ ଉପରେ ଜମି ରହୁଛି। ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ବର୍ଷାପାଣିରେ ପଶି ଆସିବାକୁ ବାଧ୍ୟ ହେଉଛନ୍ତି।
ନୀଳଗିରି ରାଜା ଔପଦା ଅଞ୍ଚଳବାସୀଙ୍କ ପାଇଁ ୧୯୪୨ ମସିହାରେ ଡାକ୍ତରଖାନା ନିର୍ମାଣ କରିଥିଲେ। ଏହି ଡାକ୍ତରଖାନା ଉପରେ ଔପଦାବାସୀଙ୍କ ସମେତ ଖଇରା ବ୍ଲକ ଓ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳର ଲୋକମାନେ ନିର୍ଭର କରନ୍ତି। ଔପଦା ବ୍ଲକରେ ଥିବା ୫୦ଭାଗ ଗରିବ ଆଦିବାସୀଙ୍କ ସମେତ ବ୍ଲକକୁ ଲାଗିଥିବା ମୟୂରଭଞ୍ଜ ଅଞ୍ଚଳର ଆଦିବାସୀମାନେ ସ୍ବାସ୍ଥ୍ୟସେବା ପାଇଁ ଏଠାକୁ ଆସିଥାନ୍ତି। ଡାକ୍ତରଖାନାରେ ବର୍ଷା ପାଣି ଜମୁଥିବାରୁ ଏହାର ନିଷ୍କାସନ ଲାଗି କେତେଜଣ ଖବରଦାତା ତତ୍କାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଔପଦା ବ୍ଲକରେ ଭେଟି ଜଣାଇଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ଖବରଦାତାଙ୍କ କଥାକୁ ଗୁରୁତ୍ୱ ଦେଇ ତୁରନ୍ତ ଉକ୍ତଦିନ ଡାକ୍ତରଖାନାରେ ପହଞ୍ଚତ୍ ତଦନ୍ତ କରି ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଔପଦା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଏଷ୍ଟିମେଟ କପି ପଠାଯିବା ପରେ ଜିଲାପାଳ ଚକ୍ରବର୍ତ୍ତୀ ଜିଲା ମିନେରାଲ ଯୋଜନାରୁ ୪ଲକ୍ଷ ୨୦ହଜାର ଟଙ୍କା ଅନୁମୋଦନ କରିଥିଲେ। ଟଙ୍କା ମଞ୍ଜୁର ପରେ ଡ୍ରେନ କାମ କିଏ କରିବ ଓ ଫଳକରେ ନାମଲେଖାକୁ ନେଇ ଦୀର୍ଘଦିନ ଟଣାଓଟରା ଚାଲିଥିଲା। ଶେଷରେ ଡ୍ରେନ ନିର୍ମାଣ ଆରମ୍ଭ ହୋଇଥିଲା। ଡ୍ରେନ୍‌ କାମ ଉଚିତ୍‌ ଭାବେ ହୋଇ ନ ଥିବାରୁ ବର୍ଷା ହେଲେ ପାଣି ଜମି ରହୁଛି। ଏନେଇ ଡ୍ରେନ କାମ ଦାୟିତ୍ୱରେ ଥିବା ବ୍ଲକ ଯନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କୁ ପଚରାଯିବାରୁ କାମ ବାକି ଅଛି, ସ୍ଥିତି ଦେଖିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।