Categories: ଜାତୀୟ

କେ. ସୁରେଶ କିଏ? କାହିଁକି ବାଚସ୍ପତି ପ୍ରାର୍ଥୀ ପାଇଁ ଚୟନ କଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ, ୨୫।୬: ୧୮ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । ଯାହାଫଳରେ ଏନ୍‌ଡିଏ ସମର୍ଥନରେ ଓମ୍‌ ବିର୍ଲା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ କେ. ସୁରେଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ଅର୍ଥାତ ବୁଧବାର ୧୧ଟା ସମୟରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ।

ତେବେ କେ. ସୁରେଶଙ୍କୁ ନେଇ ଏବେ ଚର୍ଚ୍ଚା ଜୋର । ଇଣ୍ଡିଆ ମେଣ୍ଟ ତାଙ୍କୁ କାହିଁକି ବାଚସ୍ପତି ପ୍ରାର୍ଥୀ କଲା ସେ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କେ.ସୁରେଶଙ୍କ ସମ୍ପୂର୍ଣ୍ଣ ନାମ ହେଉଛି କୋଡିକୁନ୍ନିଲ ସୁରେଶ । ସେ କେରଳର ମାନେଲିକାରାରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ରହିଛନ୍ତି । ସେ ୮ ଥର ନିର୍ବାଚନ ଜିତି ଲୋକସଭାର ସଦସ୍ୟ ରହିଛନ୍ତି । ନିର୍ବାଚନରେ ସେ ସିପିଆଇର ଅରୁଣ କୁମାର ସିଏ ଙ୍କୁ ୧୦,୮୬୮ ହଜାର ଭୋଟରେ ହରାଇଛନ୍ତି । କେ. ସୁରେଶଙ୍କୁ ୩,୬୯,୫୧୬ ଭୋଟ ମିଳିଥିବା ବେଳେ ଅରୁଣଙ୍କୁ ୩,୫୮,୬୪୮ ଖଣ୍ଡ ମିଳିଥିଲା । ସେ ସବୁଠାରୁ ଅଧିକ ସମୟ ସଂସଦରେ କାର୍ଯ୍ୟ କରିଥିବା ଏମ୍‌ପି ।

କେ. ସୁରେଶ ୧୯୮୯ରେ ପ୍ରଥମଥର ଲୋକସଭା ନିର୍ବାଚନ ଜିତି ସଂସଦରେ ପହଞ୍ଚିଥିଲେ । ଏହାପରେ ସେ ଲଗାତାର ୧୯୯୧,୧୯୯୬ ଏବଂ ୧୯୯୯ ନିର୍ବାଚନ ଜିତିଥିଲେ । କିନ୍ତୁ ୧୯୯୮ ଏବଂ ୨୦୦୪ ମସିହାରେ ହୋଇଥିବା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୨୦୦୯ରେ ସେ ପୁନର୍ବାର ଜିତ୍‌ ହାସଲ କରିଥିଲେ । ଏହାପରେ ୨୦୧୪, ୨୦୧୯ ଏବଂ ୨୦୨୪ରୁ ବିଜୟୀ ହୋଇ ସଂସଦକୁ ଯାଇଛନ୍ତି ।

Share