ଚର୍ଚ୍ଚାରେ ଆଦିବାସୀ ମହିଳା ସାବିତ୍ରୀ ଠାକୁର, ହେଲେ ଦେଶର ମନ୍ତ୍ରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ,୧୦ା୬: ଦୁଇଥରର ଲୋକସଭା ଏମ୍‌ପି ତଥା ୪୬ ବର୍ଷିୟ ସାବିତ୍ରୀ ଠାକୁର ନୂଆକରି ମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଭାବେ ରବିବାର ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି । ଅନୁସୂଚିତ ଜନଜାତି ସଂରକ୍ଷଣ ସିଟ୍‌ରୁ ଲୋକସଭା ନିର୍ବାଚନ ଜିତିଥିବା ସାବିତ୍ରୀଙ୍କ କାର୍ଯ୍ୟ ଲୋକଙ୍କୁ ବେଶ୍‌ ପ୍ରଭାବିତ କରିଛି । ତେବେ ସାବିତ୍ରୀଙ୍କ ରାଜନୈତିକ ଯାତ୍ରା ଏବେ ଚର୍ଚ୍ଚାରେ ।

ନିଜ ଦମ୍‌ରେ ସମାଜ ତଥା ରାଜନୀତିରେ ଏକ ଚିହ୍ନ ସୃଷ୍ଟି କରିବା କଥା ବିଚାରକୁ ନେଲେ, ସାବିତ୍ରୀ ଠାକୁରଙ୍କ ନାମ ପ୍ରଥମେ ଆସିବ। ତୃଣମୂଳ ସ୍ତରରେ ରାଜନୀତି କରି ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ଏପରି ନେତା ହେଉଛନ୍ତି ସାବିତ୍ରୀ ଠାକୁର। ୨୦୦୪ରୁ ୨୦୦୯ ସେ ପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତ ସଭାପତି ରହିଆସିଛନ୍ତି।

ଏହା ବ୍ୟତୀତ ସେ ଶିଳ୍ପ ସମ଼୍ବନ୍ଧୀୟ ଗଠିତ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ସେ ସମାଜରେ ସକ୍ରିୟ ରହିଥିଲେ। ଜଣେ ସାମାଜିକ କର୍ମୀ ଭାବରେ ସେ କ୍ରମାଗତ ଭାବରେ ଲୋକଙ୍କ ସ଼୍ବାର୍ଥ ପାଇଁ କାର୍ଯ୍ୟ କରିଆସୁଛନ୍ତି ।

ସାବିତ୍ରୀ ଠାକୁରଙ୍କ ସ଼୍ବାମୀଙ୍କ ନାମ ତୁକାରାମ ଠାକୁର । ବୃତ୍ତି ଅନୁଯାୟୀ ସେ ଜଣେ କୃଷକ । ସାବିତ୍ରୀ ଠାକୁରଙ୍କ ପିତା ତଥା ତୁକାରାମ ଠାକୁରଙ୍କ ଶ୍ୱଶୁର ରାଜ୍ୟ ଜଙ୍ଗଲ ବିଭାଗର ଅବସରପ୍ରାପ୍ତ କର୍ମଚାରୀ। ସାବିତ୍ରୀ ଠାକୁରଙ୍କ ପରିବାରରେ କେହି ତାଙ୍କ ପୂର୍ବରୁ ରାଜନୀତି ଜଗତରେ ପ୍ରବେଶ କରିନଥିଲେ। ତେବେ ତାଙ୍କ ପରିବାର ଦୀର୍ଘ ଦିନ ଧରି ରାଷ୍ଟ୍ରିୟ ସ଼୍ବୟଂ ସେବକ ସଂଗଠନର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଆସୁଛନ୍ତି। ସାବିତ୍ରୀ ଠାକୁର ୧ ଜୁନ ୧୯୭୮ ରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ବିଷୟରେ କହିବାକୁ ଗଲେ ସାବିତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି। ସାବିତ୍ରୀ ଠାକୁରଙ୍କ ମଧ୍ୟ ଦୁଇଟି ପୁଅ ଅଛନ୍ତି। ବର୍ତ୍ତମାନ ସେ ରାଜନୀତିକୁ ଆସି ସମାଜ ସେବା କରୁଛନ୍ତି।

Share