Posted inଫୁରସତ

କୁନି ବୟସରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଏସବୁ ୟୁଟ୍ୟୁବର, ସାକ୍ଷାତକାରରେ ଅଧିକ ଜାଣନ୍ତୁ…

ଭଲରେ କଥା କହି ପାରୁ ନଥିବା ବୟସରେ ଏମାନେ ନାଚ, ଗୀତ, ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ତା’ସହିତ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଗଢିପାରିଛନ୍ତି। ପାଠଶାଠ ସବୁଥିରେ ଏମାନେ ବେଶ୍‌ ପାରିବାର। ସେଥିପାଇଁ ଘରେ ବାହାରେ ସବୁଠି ଏମାନେ ଭାରି ପ୍ରିୟ। ଜାଣନ୍ତୁ ସେମିତି କେତେଜଣ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା କୁନି ୟୁଟ୍ୟୁବର୍‌ଙ୍କ ସମ୍ପର୍କରେ …

ଭାଇରାଲ୍‌ ଗର୍ଲ ମାଙ୍କେ
ନାଁ ତାଙ୍କର ଶିବାଙ୍ଗୀ ପ୍ରଧାନ, କିନ୍ତୁ ମାଙ୍କେ ନାଁରେ ସିଏ ଘରେ ଘରେ ପରିଚିତ। ଛୋଟଠୁ ବଡ଼ ସମସ୍ତଙ୍କର ସେ ଭାରି ପ୍ରିୟ। ତାଙ୍କର ମିଠା ମିଠା କମେଡି ଭିଡିଓ ଦେଖିବାକୁ ସମସ୍ତଙ୍କ ଭିତରେ ରହିଛି ବେଶ୍‌ ଆଗ୍ରହ। ମାଙ୍କେ ପ୍ରଥମେ ଭାଇରାଲ୍‌ ହେଲେ ‘ଗାଈ ଓ ବିଲେଇ ଦୁଇ ଭଉଣୀ କେମିତି ହେଲେ’ ଭିଡିଓରୁ। ଏହି ଭିଡିଓଟି ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ତା’ପରଠୁ ମାଙ୍କେଙ୍କର ନୂଆ ନୂଆ ଭିଡିଓ ଦେଖିବାକୁ ଲୋକେ ଅପେକ୍ଷାକରି ରହିଲେ। ଆଉ ଲୋକଙ୍କ ରୁଚିକୁ ଦେଖି ମାଙ୍କେ ବି ଖୁବ୍‌ ସୁନ୍ଦର କମେଡି ଭିଡିଓମାନ ଭେଟିଦେଇ ଚାଲିଲେ। ସେ ‘ଅଙ୍ଗନଓ୍ବାଡି ଯିବିନି ଭିଡିଓ’ ହେଉକି ‘କେତେରେ କେତେ ମିଶିଲେ ଦଶ’ ଭିଡିଓ ହେଉ ଅଥବା ‘ଚକୋଲେଟ୍‌ କି ବାଦାମ କ’ଣ ଖାଇଲେ ବେଶି ବୁଦ୍ଧି ହେବ’ର ଭିଡିଓ, ଏମିତି ଗୋଟିଏ ପରେ ଗୋଟିଏ ମଜାଦାର୍‌ ଭିଡିଓ କରି ସେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିଦେଉଥିଲେ। ଆଉ ଏବେ ବି ଏହି ଧାରା ଜାରି ରହିଛି। ଗଞ୍ଜାମ ଜିଲାର ସେଣ୍ଟ ଜାଭିୟର୍ସ ସ୍କୁଲ୍‌ରେ ଏଲ୍‌କେଜିରେ ପଢୁଥିବା ଏହି କୁନି ଝିଅଟିର ନିଚ୍ଛକ ଅଭିନୟ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସ୍ବାଭାବିକ୍‌। ତେବେ ଏହି ଅଭିନୟର କଳା ସେ ତାଙ୍କ ବାପା ପ୍ରୀତିରଞ୍ଜନ ପ୍ରଧାନଙ୍କଠାରୁ ପାଇଛନ୍ତି; ଯିଏ କି ଜଣେ ଲୋକପ୍ରିୟ ଥିଏଟର୍‌ ଆର୍ଟିଷ୍ଟ, ଗୀତିକାର, ସଙ୍ଗୀତକାର ଓ ଅଭିନେତା। ତା’ସହିତ ପ୍ରୀତିରଞ୍ଜନ ଗଞ୍ଜାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରତୀ ବିଦ୍ୟାପୀଠରେ ଫିଜିକାଲ୍‌ ଏଜୁକେଶନ ଟିଚର ଭାବେ କାର୍ଯ୍ୟରତ। ମାଙ୍କେଙ୍କ ମା’ ପୂଜା ପ୍ରଧାନ ବି ଗଞ୍ଜାମସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଫିଜିକାଲ୍‌ ଏଜୁକେଶନ ଟିଚର୍‌ ଭାବେ କାର୍ଯ୍ୟ କରନ୍ତି। ମାଙ୍କେଙ୍କ ପରି ତାଙ୍କ ବଡ଼ ଭଉଣୀ ଶିବାନୀ ପ୍ରଧାନ ବି ୟୁଟ୍ୟୁବ୍‌ରେ ଅନେକ ସର୍ଟ ଫିଲ୍ମରେ ଅଭିନୟ କରିଛନ୍ତି। ତା’ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କ୍ଲାସ୍‌-୮ରେ ପଢୁଥିବା ଶିବାନୀ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ। ଆଉ ଏବେ ଉଭୟ ମାଙ୍କେ ଓ ଶିବାନୀ ହିନ୍ଦୁସ୍ତାନୀ ଭୋକାଲ୍‌ ଶିଖୁଛନ୍ତି। ମାଙ୍କେ କେମିତି ଏତେ ଭାଇରାଲ୍‌ ହେଲେ ସେନେଇ ପ୍ରଶ୍ନ ପଚାରିବାରୁ ତାଙ୍କ ବାପା ପ୍ରୀତିରଞ୍ଜନ କୁହନ୍ତି, ‘ଆମ ନିଜ ଘର ମୟୂରଭଞ୍ଜରେ। କିନ୍ତୁ ଚାକିରି ଯୋଗୁ ଆମେ ଗଞ୍ଜାମରେ ରହୁଛୁ। ଚାକିରି କରିବା ସଙ୍ଗେସଙ୍ଗେ ମଞ୍ଚ ନାଟକ, ଧାରାବାହିକ, ଚଳଚ୍ଚିତ୍ରରେ ଅଭିନୟ ସାଙ୍ଗକୁ ‘ଆନ୍ନା କମେଡି’ ନାମରେ ମୋର ନିଜର ଏକ ୟୁଟ୍ୟୁବ୍‌ ଚାନେଲ୍‌ ବି ଅଛି, ଯେଉଁଥିରେ ମୁଁ ମୋର କମେଡି ଭିଡ଼ିଓମାନ ଅପ୍‌ଲୋଡ୍‌ କରିଥାଏ। ମାଙ୍କେ ପୂର୍ବରୁ ବଡ଼ଝିଅ ଶିବାନୀକୁ ନେଇ ଅନେକ ଶର୍ଟ ଫିଲ୍ମ ତିଆରି କରିଥିଲି ଆଉ ତାକୁ ଏହି ଚାନେଲ୍‌ରେ ଅପ୍‌ଲୋଡ୍‌ କରୁଥିଲି। ଛୋଟ ଛୁଆଙ୍କୁ କେମିତି ପାଶବିକ ଅତ୍ୟାଚାର କରାଯାଉଛି ତା’ଉପରେ ଥରେ ଏକ ଶର୍ଟ ଫିଲ୍ମ କରିଥିଲି; ଯେଉଁଥିରେ ଶିବାନୀ ଅଭିନୟ କରିଥିଲା। ଫିଲ୍ମଟିର କନ୍‌ସେପ୍ଟ ଓ ଶିବାନୀର ଅଭିନୟକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ, ପରବର୍ତ୍ତୀ ସମୟରେ ଏହି ଫିଲ୍ମଟି ଶର୍ଟ ଫିଲ୍ମ ନ୍ୟାଶନାଲ୍‌ ଆଓ୍ବାର୍ଡ ପାଇବା ସହ ଶିବାନୀକୁ ବେଷ୍ଟ ଚାଇଲ୍ଡ ଆର୍ଟିଷ୍ଟର ପୁରସ୍କାର ମିଳିଥିଲା। ତା’ପରଠୁ ବିଭିନ୍ନ ସଚେତନତାମୂଳକ, ଶିକ୍ଷାଭିତ୍ତିକ ଶର୍ଟ ଫିଲ୍ମ କରି ଚାନେଲ୍‌ରେ ଅପଲୋଡ୍‌ କରୁଥିଲି। ମାଙ୍କେ ଜନ୍ମହେବାର ମାସେ ଦୁଇମାସ ପରଠୁ ତା’ର ବି ବିଭିନ୍ନ ଭିଡିଓ କରି ସେଥିରେ ଅପଲୋଡ୍‌ କରୁଥିଲି। ପରେ ‘ମାଙ୍କେ କମେଡି’ ନାମରେ ଅନ୍ୟ ଏକ ୟୁଟ୍ୟୁବ୍‌ ଚାନେଲ୍‌ କରି ସେଥିରେ ଧୀରେ ଧୀରେ ମାଙ୍କେର କଥାକୁହା ଭିଡିଓମାନ ଅପଲୋଡ୍‌ କଲି। ହେଲେ ଯେତେବେଳେ ମାଙ୍କେର ‘ଗାଈ ଓ ବିଲେଇ ଦୁଇ ଭଉଣୀ କେମିତି ହେଲେ’ ତା’ର ଭିଡିଓଟି ୟୁଟ୍ୟୁବ୍‌ରେ ପଡ଼ିଲା ତାହା ଏତେ ଭାଇରାଲ୍‌ ହେଲା ଯେ, ମାତ୍ର କେଇଘଣ୍ଟା ଭିତରେ ଏହା ପ୍ରାୟ ୮ ମିଲିୟନ୍‌ ଭିୟୁଜ୍‌ ଛୁଇଁଥିଲା ଆଉ ରାତାରାତି ମାଙ୍କେ ସମସ୍ତଙ୍କ ପ୍ରିୟ ପାଲଟିଗଲା। ସେବେଠୁ ଦର୍ଶକଙ୍କ ଭଲ ପାଇବା ମାଙ୍କେକୁ ମିଳିଚାଲିଛି। ୟା’ଭିତରେ ମାଙ୍କେ ‘ପାରିକରିବେ ଭୋଳାଶଙ୍କର ୩’ ଶୀର୍ଷକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଲାଣି; ଯେଉଁଥିରେ ମୁଁ ଏବଂ ମାଙ୍କେର ମା’ ବି ଅଭିନୟ କରିଛୁ। ତା’ସହିତ ଆଗକୁ ମାଙ୍କେ ଅଭିନୀତ ଆଉ ଏକ ଚଳଚ୍ଚିତ୍ର ‘ବବି ଆଉ ବେବି’ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଭଗବାନ୍‌ଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଏମିତି ରହିଲେ ମୋର ଦୁଇ ଝିଅ ମାଙ୍କେ ଓ ଶିବାନୀ ଭଲ ମଣିଷ ହେବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ।’

ପଣକିଆ ଗାଇ ଭାରରାଲ୍‌ ହୋଇଥିବା ଦୁଇ ଭଉଣୀ
ଦୁଇ କେ ଦୁଇ, କାଠ ଖାଇଗଲା ଉଇ। ଦୁଇ ଦୁଗୁଣେ ଚାରି, ନଈ ହେବା ପାରି। ଦୁଇ ତିରିକି ଛଅ, ଛତା ବାଡ଼ି ଧଅ…… ଦୁଇ ଦଶା କୋଡ଼ିଏ, ବାଘମାମୁ ଯୋଡ଼ିଏ; ଏଭଳି ଏକ ନିଆରା ଢଙ୍ଗରେ ପଣକିଆ ଗାଇବା ସହ ଖୁବ୍‌ ସୁନ୍ଦର ଅଭିନୟ କରି ଏଇ କିଛି ବର୍ଷ ତଳେ ୟୁଟ୍ୟୁବ୍‌ରେ ଯେଉଁ କୁନି ଝିଅଟି ବେଶ୍‌ ଭାଇରାଲ୍‌ ହୋଇଥିଲେ, ତାଙ୍କ ନାଁ ହେଉଛି ପ୍ରୀତି ସୁଲଗ୍ନା। ନୟାଗଡ଼ ଜିଲା ଦଶପଲ୍ଲାର ଶୁଭଶ୍ରୀ ସନମ୍‌ ଦାଶ ଓ କୁରେଶ ଚନ୍ଦ୍ର ସାହୁଙ୍କର ସେ ହେଲେ ସାନଝିଅ। ମା’ ଶୁଭଶ୍ରୀ ଦଶପଲ୍ଲାସ୍ଥିତ ରାଧାମୋହନ ଜୀଉ ନୋଡାଲ୍‌ ହାଇସ୍କୁଲରେ ସଙ୍ଗୀତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ବାପା କୁରେଶ ଚନ୍ଦ୍ର କାଙ୍ଗୁରକୋଣ୍ଡା କାଲିମେଳା, ମାଲକାନଗିରିସ୍ଥିତ ଆଦର୍ଶ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ କାର୍ଯ୍ୟରତ। ଯେହେତୁ ମା’ବାପା ଉଭୟ ସଙ୍ଗୀତ କ୍ଷେତ୍ରରେ କାମ କରନ୍ତି, ତେଣୁ ପ୍ରୀତିଙ୍କର ସ୍ବର ଏତେ ସୁନ୍ଦର ହେବା ସ୍ବାଭାବିକ କଥା। କେବଳ ପ୍ରୀତି କାହିଁକି, ତାଙ୍କ ବଡ଼ଭଉଣୀ ଶ୍ରୁତି ସୁଲଗ୍ନା ବି ଖୁବ୍‌ ସୁନ୍ଦର ଗୀତ ଗାଇପାରନ୍ତି। ଶ୍ରୁତି ଅନେକ ବହି ଗୀତକୁ ଖୁବ୍‌ ସୁନ୍ଦର ଭାବେ ଗାଇ ୟୁଟ୍ୟୁବ୍‌ରେ ଚର୍ଚ୍ଚିତ ହୋଇଛନ୍ତି। ତା’ସହ ପ୍ରୀତି ୨କରୁ ୫କ ପଣକିଆ ଗାଇଥିବାବେଳେ ଉଭୟ ପ୍ରୀତି ଓ ଶ୍ରୁତି ମିଶି ୬କରୁ ଆରମ୍ଭ କରି ୟା’ ଭିତରେ ୧୩କ ଯାଏଁ ପଣକିଆ ଗାଇସାରିଲେଣି। ତେବେ ସେମାନଙ୍କ ପଣକିଆ ଗାଇବାର ଶୈଳୀ ଟିକେ ଭିନ୍ନ ଧରଣର ଅର୍ଥାତ୍‌ ଏଥିରେ ସମାଜକୁ କିଛିଟା ସଚେତନ ବାର୍ତ୍ତା ଦିଆଯାଉଥିବାରୁ ଏହା ଶ୍ରୋତାଙ୍କ ମନକୁ ବେଶ୍‌ ଛୁଇଁଥାଏ।

କୁରେଶ କୁହନ୍ତି, ”ଏହା ହେଉଛି କୋଭିଡ୍‌ ପୂର୍ବର କଥା। ସେତେବେଳେ ‘ଆମ ନୟାଗଡ଼’ ନାଁରେ ମୁଁ ଏକ ଫେସ୍‌ବୁକ୍‌ ଆଇଡି ଏବଂ ୟୁଟ୍ୟୁବ୍‌ ଚାନେଲ୍‌ ଖୋଲିଥିଲି। ସେଥିରେ ମଝିରେ ମଝିରେ ମୁଁ ମୋ ସ୍କୁଲ୍‌ ପିଲାମାନଙ୍କୁ ନେଇକି କରିଥିବା କିଛି ସଚେତନତାମୂଳକ ଭିଡିଓକୁ ଅପ୍‌ଲୋଡ୍‌ କରୁଥିଲି। ଥରେ ଟ୍ରାଫିକ୍‌ ରୁଲ୍‌ ଉପରେ ଏକ ଭିଡିଓ କରି ଯେତେବେଳେ ଅପ୍‌ଲୋଡ୍‌ କଲି ତାହା ବେଶ୍‌ ଭାଇରାଲ୍‌ ହେଲା। କିଛିଦିନ ପରେ କୋଭିଡ୍‌ ମହାମାରୀ ଆରମ୍ଭ ହୋଇଗଲା। ବଡ଼ଝିଅ ସେତେବେଳେ ଚତୁର୍ଥରେ ଓ ସାନଝିଅ ପ୍ରଥମରେ ପଢୁଥିଲା। ସାନଝିଅର ଜମା ପଣକିଆ ହେଉ ନ ଥିଲା। ଥରେ ତାକୁ ଏମିତି ନିଆରା ଢଙ୍ଗରେ ପଣକିଆ ଶିଖାଇବାରୁ ସିଏ ତାକୁ ଭଲ ଭାବେ ଧରିନେଲା। ତା’ପରେ ତା’ର ଗୋଟେ ଭିଡିଓ କରିବାକୁ ଚିନ୍ତାକଲି। ଆଉ ଯେତେବେଳେ ଏହି ଭିଡିଓଟି ‘ଆମ ନୟାଗଡ଼’ ୟୁଟୁବ୍‌ ଚାନେଲ୍‌ରେ ଅପ୍‌ଲୋଡ୍‌ ହେଲା, ଲୋକେ ତାକୁ ଏତେ ପସନ୍ଦ କଲେ ଯେ, ଏହିଭଳି ଭାବେ ୩କ ପଣକିଆ କରିବା ପାଇଁ ଆମ ପାଖକୁ ଅନେକ ମେସେଜ୍‌ ଆସିଲା। କିନ୍ତୁ ଛନ୍ଦ କବିତା କରିବାକୁ ମୋତେ ଟିକେ ଅସୁବିଧା ହେବାରୁ ମୁଁ ଜଣେ ଗୀତିକାରଙ୍କ ସନ୍ଧାନରେ ରହିଲି। ବର୍ତ୍ତମାନ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଥିବା ଡ. ସନାତନ ପଣ୍ଡା ସେତେବେଳେ ମୋତେ ସାହାଯ୍ୟର ହାତ ବଢ଼ାଇଥିଲେ। ସିଏ ପଣକିଆ ପାଇଁ ଛନ୍ଦ ଗୀତ ଲେଖିଲେ। ୩କରୁ ୫କ ପର୍ଯ୍ୟନ୍ତ ପ୍ରୀତି ଏକା ଗାଇଲା। ଅନ୍ୟପକ୍ଷେ ଶ୍ରୁତି ବିଭିନ୍ନ ବହିଗୀତକୁ ଖୁବ୍‌ ସୁନ୍ଦର ଭାବେ ସ୍ବର କରି ଗାଉଥିଲା, ଆଉ ତା’ର ଭିଡିଓ ବି ଚାନେଲ୍‌ରେ ଅପ୍‌ଲୋଡ୍‌ ହେଉଥିଲା। କିନ୍ତୁ ୬କରୁ ଉଭୟ ପ୍ରୀତି ଓ ଶ୍ରୁତିକୁ ନେଇ ଟିକେ ଭିନ୍ନ ଧରଣର ପଣକିଆ ପ୍ରସ୍ତୁତ କଲୁ। ପ୍ରୀତି ପଣକିଆର ଗୋଟେ ଲାଇନ୍‌ ଗାଇବ ତା’ପରେ ଶ୍ରୁତି ତାକୁ ଛନ୍ଦ ପକେଇକି ସମାଜକୁ ସଚେତନତାମୂଳକ ବାର୍ତ୍ତା ଦେଲା ଭଳିଆ ଗୋଟେ ଲାଇନ୍‌ ଗାଇବ। ଏଭଳି ଭାବେ ୧୩କ ଯାଏଁ ସେମାନେ ପଣକିଆ ଗାଇସାରିଲେଣି; ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଆମେ ଲକ୍ଷ୍ୟ ରଖିଛୁ ୨୫କ ଯାଏଁ ଏମିତି ପଣକିଆ କରିବୁ। ପଣକିଆ ବ୍ୟତୀତ ଝିଅ ଦୁହେଁ ଖୁବ୍‌ ସୁନ୍ଦର ଭଜନ ବି ଗାଉଛନ୍ତି। ତା’ସହ କେତେକ କାର୍ଟୁନ ପ୍ରୋଗ୍ରାମ୍‌ ଓ କମେଡି ପ୍ରୋଗ୍ରାମ୍‌ ପାଇଁ ବି ସେମାନେ ଡବିଂ ଭଏସ୍‌ ଦେଉଛନ୍ତି। ବଡ଼ଝିଅ ମ୍ୟୁଜିକ୍‌ ଲାଇନ୍‌ରେ କ୍ୟାରିୟର୍‌ କରିବାକୁ ଇଚ୍ଛା ରଖିଥିବାବେଳେ ସାନଝିଅ ଡାକ୍ତର ହେବ ବୋଲି କହୁଛି। ଦେଖାଯାଉ ସେମାନଙ୍କ ଭାଗ୍ୟ ସେମାନଙ୍କୁ କୁଆଡ଼େ ନେଉଛି।’

ଜେଜେମା’ ଆମ ଚାଇନା ବମ୍‌ ସ୍ବାତୀ
ଏଇ କିଛିଦିନ ତଳେ ତରଙ୍ଗ ଏଣ୍ଟରଟେନ୍‌ମେଣ୍ଟ ଚାନେଲ ତରଫରୁ ପ୍ରସ୍ତୁତ ହୋଇଥିବା ଏକ ଭିନ୍ନ କାହାଣୀଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ”ଜେଜେମା’ ଆମ ଚାଇନା ବମ୍‌“ରେ ଜେଜେମା’ ଚରିତ୍ରରେ ଯେଉଁ କୁନି ଝିଅଟି ଖୁବ୍‌ ସୁନ୍ଦର ଅଭିନୟ କରିଥିଲେ ସେ କିଏ ଜାଣନ୍ତି। ସେ ହେଲେ ଶାଶ୍ୱତି ମିଶ୍ର। ତାଙ୍କୁ କେହି କେହି ସ୍ବାତୀ ବୋଲି ବି କହିଥାନ୍ତି। ତାଙ୍କ ବାପା ସତ୍ୟଶୋଭନ ମିଶ୍ର ତାଙ୍କୁ ସ୍ନେହରେ ଗୁଗୁଲି ବୋଲି ଡାକିଥାନ୍ତି। ତାଙ୍କ ବାପା ଜଣେ ବ୍ୟାଙ୍କ କର୍ମଚାରୀ। ମା’ ଶୁଭସ୍ମିନୀ ପୁଶପାଳକ ଜଣେ ଶିକ୍ଷୟିତ୍ରୀ। ଘର ଟୋଲାଗୋପୀନାଥପୁର, ନିଆଳି, କଟକ। ଶାଶ୍ୱତି ଏବେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବୋଧ ପଢୁଛନ୍ତି। ତେବେ ଶାଶ୍ୱତିଙ୍କର ପ୍ରଥମ ସୋସିଆଲ୍‌ ମିଡିଆରେ ପରିଚୟ ଇନ୍‌ଷ୍ଟାଗ୍ରାମ୍‌ରୁ ହୋଇଥିଲା। ଏ ନେଇ ସ୍ବାତୀଙ୍କ ମା’ ଶୁଭସ୍ମିନୀ କୁହନ୍ତି, ‘ଆମେ ସ୍ବାମୀସ୍ତ୍ରୀ ଦୁହେଁ କର୍ମଜୀବୀ। ଶାଶୁ ବି ଚାକିରି କରୁଥିଲେ। ତେଣୁ ଝିଅର ଦେଖାଚାହାଁ କରିବା ପାଇଁ ମୁଁ ମୋ ସାନଭଉଣୀ ଏଲିନା ପୁଶପାଳକକୁ ଆଣି ମୋ ପାଖରେ ରଖିଥିଲି। ସେ ଏଠାରେ ରହି ପାଠ ପଢୁଥିଲା ତା’ସହିତ ମୋ ଝିଅର ସବୁକଥା ବୁଝୁଥିଲା। ମୋ ଭଉଣୀର ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟେ ଆଇଡି ଥିଲା। ବେଳେବେଳେ ଝିଅର କିଛି ଭିଡିଓ ସେଥିରେ ସିଏ ଅପ୍‌ଲୋଡ୍‌ କରିଦେଉଥିଲା। ଝିଅକୁ ଯେତେବେଳେ ମାତ୍ର ୩ ବର୍ଷ ବୟସ ହୋଇଥିଲା ସେତେବେଳେ ସିଏ ‘କିଆଁ ଯିବି ମୁଁ ମନ୍ଦିର କିଆଁ ପୂଜିବି ପଥର’ ଗୀତରେ ଅଭିନୟ କରିଥିବାର ଏକ ଭିଡିଓକୁ ଏଲିନା ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଦେଲା। ଏହାକୁ ଲୋକେ ଏତେ ପସନ୍ଦ କଲେ ଯେ, ଏହାର ଭଲ ଭିୟୁଜ୍‌ ହେବା ସହ ସୁନ୍ଦର କମେଣ୍ଟ୍ସମାନ ଆସିଲା। ତା’ପରେ ଏଲିନା ତା’ ବାପା ଆଉ ମୋତେ ବୁଝେଇଲା, ଝିଅର ଭଲ ଟାଲେଣ୍ଟ ଅଛି, ତାକୁ ଆମେ ସେହି ଦିଗରେ ନେବା। ସ୍ବାତୀର ବାପା ଯେହେତୁ ଜଣେ ଡ୍ରାମା ଆର୍ଟିଷ୍ଟ, ତେଣୁ ସିଏ ଏକଥାରେ ରାଜି ହୋଇଗଲେ। ତା’ପରଠୁ ‘ସ୍ବାତୀ ମିଶ୍ର ଗୁଗୁଲି ୦୧’ ନାମରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଆଇଡି ଖୋଲି ସ୍ବାତୀର ସବୁ ଭିଡିଓ ସେଥିରେ ପଡ଼ିଲା। ତା’ସହିତ ‘ସ୍ବାତୀ ମିଶ୍ର ଗୁଗୁଲି’ ନାଁରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଏବଂ ଫେସ୍‌ବୁକ୍‌ରେ ଆଇଡି ବି ତାଙ୍କର ରହିଛି। ଧୀରେ ଧୀରେ ସ୍ବାତୀଙ୍କ ଭିଡିଓ ଭାଇରାଲ୍‌ ହେବାରୁ ତାଙ୍କୁ ବିଭିନ୍ନ ଚାନେଲ୍‌ ତରଫରୁ ଅଭିନୟର ଅଫର୍‌ ଆସିଲା। ପ୍ରଥମେ ସିଏ ଦିଦି ନଂ.୧ରେ ଅଂଶଗ୍ରହଣ କରି ବିଜୟିନୀ ହେଲେ। ତା’ପରେ ତାଙ୍କୁ ସିଦ୍ଧାର୍ଥ ଚାନେଲ୍‌ ତରଫରୁ ‘ସିନ୍ଦୂରର ଅଧିକାର’ ଧାରାବାହିକରେ ଏକ ଛୋଟ ସିନ୍‌ରେ ଅଭିନୟ କରିବାର ଅଫର୍‌ ମିଳିଲା। ଏହାପରେ ସିଏ ତରଙ୍ଗରେ ‘ଝାନ୍ସି ଅପା’ ଧାରାବାହିକରେ ପିହୁ ଚରିତ୍ରରେ ମଧ୍ୟ କିଛିଦିନ ଅଭିନୟ କଲେ। ଶେଷରେ ଏଇ କିଛିଦିନ ତଳେ ରିଲିଜ ହୋଇଥିବା ଚଳଚ୍ଚିତ୍ର ”ଜେଜେମା’ ଆମ ଚାଇନା ବମ୍‌“ରେ ଅଭିନୟ କରି ସିଏ ଦର୍ଶକଙ୍କର ବେଶ୍‌ ପ୍ରଶଂସା ସାଉଁଟିଲା। ଏତିକି କହିବି, ସ୍ବାତୀ ଆଜି ଯାହାବି ହେଇଛି ସବୁକିଛି ତା’ ମାଉସୀ ପାଇଁ ହିଁ ସମ୍ଭବ ହୋଇପାରିଛି। ସିଏ ତାକୁ ପୂରା ଗାଇଡ୍‌ କରୁଛି। ଭଗବାନଙ୍କୁ ଡାକୁଛି ତାଙ୍କ କରୁଣା ଦୃଷ୍ଟି ମୋ ଝିଅ ଉପରେ ସବୁବେଳେ ରଖିଥାନ୍ତୁ, ଆଉ ତାକୁ ଭଲ ମଣିଷଟେ କରନ୍ତୁ।’


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri