ବିଧାନସଭାରେ କେମିତି ନିର୍ବାଚିତ ହୁଅନ୍ତି ବାଚସ୍ପତି, ଜାଣନ୍ତୁ…

ଭୁବନେଶ୍ୱର,୧୪।୬: ୨୪ବର୍ଷର ବିଜେଡି ଶାସନ ପରେ ରାଜ୍ୟରେ ଭାଜପା କ୍ଷମତାସୀନ ହୋଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ୮କ୍ୟାବିନେଟ ମନ୍ତ୍ରୀ, ୨ ରାଜ୍ୟ (ସ୍ବାଧୀନ ଚାର୍ଜ) ଶପଥ ଗହଣ କରିଛନ୍ତି। ମୋହନଙ୍କୁ ମିାାଇ ମୋଟ ୧୫ଜଣ ଶପଥ ନେଇ ସାରିଥିଲେ ମଧ୍ୟ ଏଯାଏ ବିଭାଗ ବଣ୍ଟନ କରାଯାଇ ନାହିଁ। ଏନେଇ କଳ୍ପନା ଜଳ୍ପନା ଲାଗି ରହିଛି। କାହାକୁ କେଉଁ ବିଭାଗ ମିଳିବ ଏନେଇ ଆଲୋଚନା ଚାଲିଛି ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେତେବେଳେ କୌଣସି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୁଏ ଏବଂ ଏକ ନୂଆ ସରକାର ଗଠନ ହୁଏ, ସେତେବେଳେ ବିଧାନସଭାର ପ୍ରଥମ କାର୍ଯ୍ୟ ହେଉଛି ବାଚସ୍ପତି ଏବଂ ଉପ ବାଚସ୍ପତି ଚୟନ କରିବା। ସାଧାରଣତଃ ଶାସକ ଦଳ କିମ୍ବା ସହଯୋଗୀ ଦଳର ଜଣେ ବିଧାୟକ ଏଥିପାଇଁ ମନୋନୀତ ହୋଇଥାନ୍ତି। ଯେଉଁଥିପାଇଁ ଆସନ୍ତା ୨୦ରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ବିଧାନସଭାର ବରିଷ୍ଠ ସଦସ୍ୟ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି(ପ୍ରୋ ଟେମ ସ୍ପିକର) କରାଯାଇଛି। ସେ ଆସନ୍ତା ୧୮ ଓ ୧୯ରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ଗ୍ରହଣ କରାଇବେ।

ଚଳିତ ନିର୍ବାଚନରେ ଭାଜପାର ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ୫୧, କଂଗ୍ରେସର ୧୪, ସିପିଆଇ(ଏମ) ୧ ଓ ସ୍ବାଧୀନ ଭାବେ ୩ ଜଣ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୦୮ ଜଣ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରୋ ଟେମ ସ୍ପିକର ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ଅନ୍ୟପକ୍ଷରେ ଶପଥ ଗ୍ରହଣ ତାରିଖ ଘୋଷଣା ହୋଇଥିବା ବେଳେ ନୂଆ ବାଚସ୍ପତି କିଏ ହେବେ ସେ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ପୂର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ନେଇ ଚର୍ଚ୍ଚା ହେଉଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଜାଣନ୍ତୁ କିପରି ବାଚସ୍ପତି ନିର୍ବାଚନ କରାଯାଏ।

କ୍ଷମତାସୀନ ଦଳର ବରିଷ୍ଠ ସଦସ୍ୟଙ୍କୁ ଅଧିକାଂଶ ସମୟରେ ବାଚସ୍ପତି ଭାବରେ ନିର୍ବାଚିତ ହୁଅନ୍ତି। ବାଚସ୍ପତିଙ୍କୁ ବିଧାୟକମାନେ ନିଜ ଭୋଟ ଦେଇ ନିର୍ବାଚିତ କରିଥାନ୍ତି। ବାଚସ୍ପତିଙ୍କ କାମ ହେଉଛି ସମ୍ବିଧାନ ଅନୁଯାୟୀ ବିଧାନସଭା ପ୍ରକ୍ରିୟାକୁ ପରିଚାଳନା କରନ୍ତି। ଯେତେବେଳେ ବାଚସ୍ପତି ଉପସ୍ଥିତ ନ ଥାନ୍ତି ତାଙ୍କ ବଦଳରେ ଉପ ବାଚସ୍ପତି ଗୃହରେ ଅଧ୍ୟକ୍ଷତା କରନ୍ତି। ଗୃହର ସବୁ ସଦସ୍ୟ ତାଙ୍କ ସମ୍ମାନ କରିବା ସହ ତାଙ୍କ ପ୍ରତିଟି ନିାର୍ଦ୍ଦଶକୁ ଅନୁପାଳନ କରନ୍ତି।

ତେବେ ପରବର୍ତ୍ତୀ ସରକାର ଗଠନ ନ ହେବା ପର୍ଯ୍ୟନ୍ତ ବାଚସ୍ପତି ଏହି ପଦବୀରେ ରହିଥାନ୍ତି। ବାଚସ୍ପତିଙ୍କୁ ଏହି ପଦରୁ ହଟାଇବାକୁ ହେଲେ ଗୃହରେ ଏକ ପ୍ରସ୍ତାବ ଆଣିବାକୁ ପଡିଥାଏ। ଏଥିପାଇଁ ୧୪ ଦିନ ପୂର୍ବରୁ ନୋଟିସ ଦେବାର ନିୟମ ରହିଛି।

Share