ସ୍ବସ୍ତିକ ଶବ୍ଦ ‘ସୁ’, ‘ଅସ୍ତି’ ଓ ‘କ’ ଶବ୍ଦର ମିଶ୍ରଣରେ ତିଆରି। ‘ସୁ’ ର ଅର୍ଥ ଶୁଭ, ‘ଅସ୍ତି’ର ଅର୍ଥ ହେବା ଓ ‘କ’ର ଅର୍ଥ କର୍ତ୍ତା ବା କରୁଥିବା ବ୍ୟକ୍ତି। ତେଣୁ ସ୍ବସ୍ତିକର ମୌଳିକ ଅର୍ଥ ହେଉଛି ଶୁଭଙ୍କର ହେବା। ସ୍ବସ୍ତିକ ପୁଣି ଦୁଇ ପ୍ରକାରର। ଗୋଟିଏରେ ରେଖାଗୁଡିକ ସାମ୍ନା ଭାଗକୁ ଇଙ୍ଗିତ କରି ଡାହାଣ ଆଡକୁ ମୋଡି ହୋଇଥାଏ, ଯାହାକୁ ଶୁଭଙ୍କରୀ ସ୍ବସ୍ତିକ କୁହାଯାଏ। ଏହା ପ୍ରଗତିର ସଙ୍କେତ ଦିଏ। ଦ୍ୱିତୀୟ ପ୍ରକାରର ସ୍ବସ୍ତିକରେ ରେଖାଗୁଡିକ ପଛଆଡକୁ ସଙ୍କେତ ଦେଇ ଆମର ବାମ ପଟକୁ ମୋଡି ହୋଇଥାଏ। ଏହା ବାମାବର୍ତ୍ତ ସ୍ବସ୍ତିକ ଭାବେ ପରିଚିତ। ଭାରତୀୟ ସଂସ୍କୃତିରେ ଏହାକୁ ଅଶୁଭ ଭାବେ ଗଣନା କରାଯାଏ।
ଜର୍ମାନୀର କ୍ରୁର ଶାସକ ହିଟଲର କିନ୍ତୁ ନିଜ ଧ୍ୱଜରେ ଏହି ବାମାବର୍ତ୍ତ ସ୍ବସ୍ତିକ ଚିହ୍ନ ବ୍ୟବହାର କରିଥିଲେ। ସ୍ବସ୍ତିକର ଅର୍ଥ କଲ୍ୟାଣ ବା ମଙ୍ଗଳ। ଏହା ଏକ ବିଶେଷ ପ୍ରକାରର ଚିହ୍ନ ଅଟେ, ଯାହାକୁ କୌଣସି କାର୍ଯ୍ୟ କରିବା ପୂର୍ବରୁ କରାଯାଏ। ବିଶ୍ୱାସ କରାଯାଏ ଏହି ଚିହ୍ନ ସବୁଦିଗରୁ ଶୁଭ ଓ ମଙ୍ଗଳ କାରକକୁ ନିଜ ଆଡକୁ ଆକର୍ଷିତ କରିଥାଏ। କାର୍ଯ୍ୟ ଆରମ୍ଭରୁ ଏହାକୁ ପୂଜା କରାଯାଉଥିବାରୁ ଏହାକୁ ଭଗବାନ ଗଣେଶଙ୍କ ସ୍ବରୂପ ଭାବେ ବି ଗ୍ରହଣ କରାଯାଏ। ବିଶ୍ୱାସ କରାଯାଏ ଏହାର ଅଙ୍କନ କଲେ ବ୍ୟକ୍ତିଙ୍କୁ ସମ୍ପନ୍ନତା, ସମୃଦ୍ଧି ଓ ଏକାଗ୍ରତା ପ୍ରାପ୍ତି ହୁଏ। କେବଳ ସେତିକି ନୁହେଁ କୌଣସି ପୂଜାରେ ଯଦି ଏହାର ପ୍ରୟୋଗ ନ ହୁଏ ସେହି ପୂଜାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରେନା ବୋଲି ବିଶ୍ୱାସ ରହିଛି। ସିଦ୍ଧାନ୍ତ ସାର ଗ୍ରନ୍ଥରେ ଏହାକୁ ବ୍ରହ୍ମାଣ୍ଡର ପ୍ରତିକ ଭାବେ ମଧ୍ୟ ଗ୍ରହଣ କରାଯାଇଛି। ସ୍ବସ୍ତିକର ମଧ୍ୟଭାଗକୁ ବିଷ୍ଣୁଙ୍କ କମଳ ନାଭି ଓ ରେଖାଗୁଡିକୁ ବ୍ରହ୍ମାଙ୍କ ଚାରି ମୁଖ, ଚାରି ହାତ ଓ ଚାରି ବେଦରୂପେ ବିବେଚନା କରାଯାଇଛି।
ସ୍ବସ୍ତିକକୁ ଠିକ୍ଭାବରେ ଅଙ୍କନ କରିଥିଲେ ସକାରାତ୍ମକ ଉର୍ଜା ମିଳିଥାଏ। ଏହି ଊର୍ଜା ବସ୍ତୁ କିମ୍ବା ବ୍ୟକ୍ତିଙ୍କ ସୁରକ୍ଷାରେ ସହାୟକ ହୁଏ। ସ୍ବସ୍ତିକର ଊର୍ଜା ଘର, ଅଫିସ୍ କିମ୍ବା ଦୈନନ୍ଦୀନ ଜୀବନରେ ପ୍ରୟୋଗ କଲେ ବ୍ୟକ୍ତି ରୋଗ ମୁକ୍ତ, ଚିନ୍ତାମୁକ୍ତ ରହିବେ ବୋଲି ବିଶ୍ୱାସ ରହିଛି। ସ୍ବସ୍ତିକର ରେଖା କୋଣ ଠିକ ଭାବେ କରିବା ଜରୁରୀ। ଭୁଲରେ ବି ଓଲଟା ସ୍ବସ୍ତିକ କରିବେ ନାହିଁ। ଲାଲ ଓ ହଳଦିଆ ରଙ୍ଗର ସ୍ବସ୍ତିକ ସବୁଠାରୁ ଭଲ। ଯେଉଁଠି ବାସ୍ତୁଦୋଷ ଥାଏ ସେହି ଘରର ମୁଖ୍ୟଦ୍ୱାରରେ ଲାଲରଙ୍ଗର ସ୍ବସ୍ତିକ କରିବା ଭଲ। ପୂଜା ସ୍ଥାନ, ପଢା ସ୍ଥାନ ଓ ବାହନରେ ସ୍ବସ୍ତିକ ଚିହ୍ନ କଲେ ଲାଭ ମିଳେ। ଏହି ମାଙ୍ଗଳିକ ଚିହ୍ନ ଅନାଦି କାଳରୁ ସମ୍ପୂର୍ଣ୍ଣ ସୃଷ୍ଟିରେ ବ୍ୟାପ୍ତ ରହିଛି।