Categories: ଜାତୀୟ

ଭାରତ ପହଞ୍ଚିବା ପରେ ୧୨ ବର୍ଷିୟ ଝିଅ ସହ କଥା ହେଲେ ବାଇଡେନ, ଏବେ ପ୍ରଶ୍ନ କିଏ ସେହି ବାଳିକା

ନୂଆଦିଲ୍ଲୀ,୯।୯: ନୂଆଦିଲ୍ଲୀରେ ସେପ୍ଟେମର ୯ ଅର୍ଥାତ୍‌ ଶନିବାରଠାରୁ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ। ଏହାପୂର୍ବରୁ ଶୁକ୍ରବାର ଜି -୨୦ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଦେଶର ମୁଖ୍ୟମାନେ, ୟୁରୋପୀୟ ୟୁନିୟନର ପ୍ରତିନିଧୀ ଏବଂ ନଅ ଅତିଥି ଦେଶର ପ୍ରତିନିଧୀମାନେ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ।
ଏହି ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବାଇଡେନ ପାଲମ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜଣେ ୧୨ ବର୍ଷର ବାଳିକାକୁ ଆଲିଙ୍ଗନ କରିଥିଲେ। ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ପ୍ରଶ୍ନ ହେଉଛି ଯେ ଏହି ଝିଅ କିଏ।
ପାଲମ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ଭାରତ ପହଞ୍ଚିଥିଲେ। ତାଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟି ମଧ୍ୟ ସ୍ବାଗତ କରିବାକୁ ଆସିଥିଲେ। ବାଇଡେନ ବିମାନବନ୍ଦରରେ ଅବତରଣ କରିଥିଲେ ଏବଂ ତାଙ୍କୁ ସ୍ବାଗତ କରିବାକୁ ଏକତ୍ରିତ ହୋଇଥିବା ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟ ମଧ୍ୟରେ ସେ ଏରିକ ଗାରସେଟିଙ୍କ ୧୨ବର୍ଷର ଝିଅ ମାୟା ଜୁଆନିଟାଙ୍କ ଶୁଭେଚ୍ଛା ମଧ୍ୟ ଗ୍ରହଣ କରିଥିଲେ। ଆମେରିକାର ରାଷ୍ଟ୍ରପତି ମାୟାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ସହ ମଧ୍ୟ କଥା ହୋଇଥିଲେ। କୌତୁହଳର ବିଷୟ ହେଉଛି ଯେ ସେ ସେହି ଝିଅ ସହିତ ଯେତେ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ ସେ ଅନ୍ୟ ଲୋକଙ୍କ ସହ ସେତିକି ସମୟ କଥାବାର୍ତ୍ତା ମଧ୍ୟ କରି ନ ଥିଲେ।

Share